ଆଜି ଅବପାତର ରୂପ ନେଇପାରେ ଲଘୁଚାପ : ସ୍ପଷ୍ଟ ହେବ ବାତ୍ୟାର ଚିତ୍ର; ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

1,077

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଂଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ଅବପାତର ରୂପ ନେଇପାରେ । ଆସନ୍ତାକାଲି ଏହା ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ୪ ତାରିଖରେ ଉପକୂଳ ଓଡ଼ିଶାରେ ସର୍ବାଧିକ ପ୍ରଭାବ ରହିପାରେ । ୩ ତାରିଖ ସଂଧ୍ୟାଠାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି ।

ଆସନ୍ତାକାଲି ପାଇଁ ଗଂଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଓ ୫ ତାରିଖରେ ଉକପୂଳ ଓ ତତ୍ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୪ ତାରିଖରେ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁରର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ସେହିପରି ୫ ତାରିଖ ସକାଳଠାରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଂଜ ଓ ପୁରୀ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟା କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ଓ ଏହାର ତୀବ୍ରତା କେତେ ରହିବ, ତାହା ଆଜି ସ୍ପଷ୍ଟ ହେବ । ତେଣୁ ଆସନ୍ତାକାଲିଠାରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ଉପକୂଳ ଓଡ଼ିଶାର ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।