କନକ ବ୍ୟୁରୋ : ରାଜ୍ୟରେ ୩ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଫେବ୍ରୁଆରୀ ୩ରୁ ବର୍ଷା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଆଗାମୀ ୩ରୁ ୪ ଦିନ ସାଧାରଣତଃ ଭାବେ ଶୁଖିଲା ପାଗ ରହିବ । ଆଜିଠାରୁ ଶୀତର ପ୍ରଭାବ ଜାରି ରହିବ । ଶୀତର ପ୍ରଭାବ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ଧୀ‌ରେଧୀରେ ଶୀତ କମିବ । ୨ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଘନକୁହୁଡ଼ି ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେ‌ଷ କରି ଦକ୍ଷିଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଉପର ମୁହାଁ ହେବା ଆରମ୍ଭ କରିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ଭଳି ତାପମାତ୍ରା ଖସିବା ଜାରିରହିବ । ଆଭ୍ୟନ୍ତରୀଣ ଉତ୍ତରରେ ତାପମାତ୍ରା ସାମାନ୍ୟ ତଳକୁ ଖସିବ । ଫେବୃଆରି ୪ ତାରିଖ ସକାଳ ସୁଦ୍ଧା ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ରୁ ୬ ଡିଗ୍ରି ବଢ଼ିବା ବେଳେ ସର୍ବାଧିକ ତାପମାତ୍ରା ପ୍ରାୟ ୬ ଡିଗ୍ରି ବଢ଼ିବ। ୫ ତାରିଖରୁ ରାଜ୍ୟକୁ ପୁଣି ଶୀତ ଫେରିବ । ଫେବୃଆରି ୪ ଓ ୫ ତାରିଖ ସକାଳେ ଉତ୍ତର ଓଡ଼ିଶାରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବ ।

କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ହାଲୁକାରୁ ସ୍ବଳ୍ପ ବର୍ଷା  ଓ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ପଶ୍ଚିମା ଝଡ଼ ହେତୁ ଉତ୍ତର-ପଶ୍ଚିମ ଭାରତରେ ଆସନ୍ତାକାଲି ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବ । ଏହା କ୍ରମଶଃ ପୂର୍ବ ଆଡ଼କୁ ଗତି କରିବ । ୩ ତାରିଖରେ ବଙ୍ଗୋପସାଗରୀୟ ପବନ ଓଡ଼ିଶା ଦେଇ ଲଘୁଚାପ କ୍ଷେତ୍ରକୁ ମୁହାଁଇବ । ଉତ୍ତରା ଥଣ୍ଡା ପବନ ସହ ମିଶ୍ରଣ ହେବ । ଫଳରେ ରାଜ୍ୟରେ ପାଗ ମେଘୁଆ ରହିବ । କିଛି କିଛି ସ୍ଥାନରେ ବର୍ଷା ହେବ। ଫେବୃଆରି ୫ ତାରିଖରୁ ପବନ ପୁଣି ଉତ୍ତର ଭାରତରୁ ରାଜ୍ୟକୁ ବହିବ। ପାରଦ ଖସିବା ହେତୁ ଥଣ୍ଡା ଲେଉଟିବ ।