ଆଜି ବି ଟାଣ ଖରାରେ ସିଝିବ ଓଡିଶା : ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

702

କନକ ବ୍ୟୁରୋ : ଆଜି ବି କଲବଲ କରିବ ତାତି । ଟାଣ ଖରାରେ ସିଝିବ ଓଡିଶା । ଗ୍ରୀଷ୍ମ ପ୍ରବାହକୁ ଦେଖି ଝାରସୁଗୁଡା, ସମ୍ବଲପୁର, ସୋନପୁର, ବରଗଡ, ବୌଦ୍ଧ ସମେତ ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ସୁନ୍ଦରଗଡ, କେନ୍ଦୁଝର, ନୁଆପଡା, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଅଂଶୁଘାତ ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ୧୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନକୁ ଅଂଶୁଘାତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଗତକାଲି ସମ୍ବଲପୁରରେ ୪୬.୧ ଡିଗ୍ରୀ ହୋଇଥିଲା ତାପମାତ୍ରା ରେକର୍ଡ । ଯାହାକି ୨୫ ବର୍ଷର ରେକର୍ଡ ଭାଙ୍ଗିଛି । ସେହିପରି ୧୦ଟି ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା । ଭୁବନେଶ୍ୱରରେ ତାତି ସାଙ୍ଗକୁ ଝାଂଜି, ରାଜଧାନୀବାସୀଙ୍କୁ ଅତିଷ୍ଟ କରିଦେଇଥିଲା । ଗତକାଲି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ଯାହା ସ୍ୱାଭାବିକ ଠାରୁ ୮.୩ ଡିଗ୍ରୀ ଅଧିକ ଥିଲା ।

ସେହିପରି କଟକର ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଅନ୍ୟପକ୍ଷରେ ୪୦ଟି ସହର ମଧ୍ୟରେ ୩୧ଟି ସହରରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା ତାପମାତ୍ରା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୁନ୍ ମାସରେ ଯେତେବେଳେ ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ହେବା କଥା ସେତିକିବେଳେ, ଏଭଳି ସ୍ଥିତି ରାଜ୍ୟବାସୀଙ୍କ ହନ୍ତସନ୍ତ କରୁଛି । ଆଗକୁ ଆହୁରି ୫ ଦିନ ମଧ୍ୟ ଏଭଳି ଅବସ୍ଥା ଲାଗି ରହିବ ବୋଲି ପାଣିପାଗ ବିଭାଗର ଆକଳନ ଚିନ୍ତା ବଢ଼ାଇ ଦେଇଛି ।