ଜୱାଦ ପ୍ରଭାବ : ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ! ୯ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

383

କନକ ବ୍ୟୁରୋ : ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଜି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଟ୍ୱିନ୍ ସିଟି ପାଇଁ ମଧ୍ୟ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । କଟକ ଭୁବନେଶ୍ୱର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

ସେହିପରି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଂଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଓଡ଼ିଶା ଉପକୂଳରେ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ଅତିବେଶୀରେ ପବନର ବେଗ ଘଂଟା ପ୍ରତି ୬୫ କିଲୋମିଟର ରହିପାରେ । ଗତ ୨୩ ଘଂଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ଭୁବନେଶ୍ୱରରେ ୨୪ ଓ ପୁରୀରେ ୨୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।