ଚଳିତ ବର୍ଷ ସ୍ୱାଭାବିକ ହେବ ବର୍ଷା : ମେ’ ୧୫ ସୁଦ୍ଧା କେରଳ ମୌସୁମୀ ଛୁଇଁବା ନେଇ ଜାତୀୟ ପାଣିପାଗ କେନ୍ଦ୍ରର ସୂଚନା

Advertisment
ଚଳିତ ବର୍ଷ ସ୍ୱାଭାବିକ ହେବ ବର୍ଷା : ମେ’ ୧୫ ସୁଦ୍ଧା କେରଳ ମୌସୁମୀ ଛୁଇଁବା ନେଇ ଜାତୀୟ ପାଣିପାଗ କେନ୍ଦ୍ରର ସୂଚନା

source : Chemistry World

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର। ଏ ବର୍ଷ ପ୍ରାକ୍ ମୌସୁମୀ ବର୍ଷା ଭଲ ହେବ। ଠିକ୍ ସମୟରେ ଆସି ପହଞ୍ଚିବ ମୌସୁମୀ, ବିଳମ୍ବର ସମ୍ଭାବନା କ୍ଷୀଣ। ମେ’ ଶେଷ ସପ୍ତାହ ସୁଦ୍ଧା କିମ୍ବା ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। କେବଳ ସେତିକି ନୁହେଁ, ଚାରି ମାସ ଅର୍ଥାତ୍ ଜୁନରୁ ସେପ୍ଟେମ୍ବର ଯାଏ ଭଲ ବର୍ଷିବ।

ସମୁଦ୍ର ପତ୍ତନ ତାପମାତ୍ରା, ବାୟୁ ପ୍ରବାହ, ହୀମପାତ, ଲା-ନିନା ଏବଂ ଏଲ୍ ନିନୋର ପ୍ରଭାବକୁ ବିଚାରକୁ ନେଇ ମୌସୁମୀ ସଂପର୍କରେ ଏମିତି ଚିତ୍ର ଆଙ୍କିଛନ୍ତି ପାଣିପାଗ ବିଶାରଦମାନେ। ପୂର୍ବାନୁମାନ ସତ ହେଲେ, ଏଥର ଖରିଫ୍ ଚାଷ ଭଲ ହେବ ବୋଲି କୃଷି ବିଜ୍ଞାନୀମାନେ ମତ ରଖିଲେଣି। ବିଶେଷକରି ଓଡ଼ିଶା ପାଇଁ ମୌସୁମୀ ସମ୍ପୂର୍ଣ୍ଣ ଅନୁକୂଳ ହେବ ବୋଲି କୁହାଯାଉଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମହାନିର୍ଦେଶକ କେ.ଜେ. ରମେଶ ଆଜି ପୂର୍ବାନୁମାନ ରଖି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଏବର୍ଷ ମୌସୁମୀ ବାୟୁ ପ୍ରବାହ ସ୍ୱାଭାବିକ ରହିବ। ତା’ସହିତ ଦେଶରେ ଅଧିକାଂଶ ଅଞ୍ଚଳରେ ସମାନ ପରିମାଣରେ ବର୍ଷା ହେବ। ତେବେ କେଉଁ ଅଞ୍ଚଳରେ କେତେ ବର୍ଷା ହେବ ତାହା ଦ୍ୱିତୀୟ ପର୍ଯ୍ୟାୟ ଆକଳନ ସମୟରେ ଅର୍ଥାତ୍ ଜୁନ୍ ପ୍ରଥମ ସପ୍ତାହରେ ବିସ୍ତୃତ ତଥ୍ୟ ଦେବ ପାଣିପାଗ ବିଭାଗ।

ଆଇଏମଡିର କହିବା କଥା ହେଉଛି, ସାଧାରଣତଃ ୯୬% ବା ଏହାଠାରୁ ୫% ଅଧିକ ବର୍ଷା ହେଲେ ଏହାକୁ ସ୍ୱାଭାବିକ ମୌସୁମୀ ଭାବେ ବିବେଚନା କରାଯାଏ। ୧୦୪%ରୁ ଅଧିକ ହେଲେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି ବିବେଚନା କରାଯାଏ। ଏଥର ୯୭% ବର୍ଷା ହେବ ବୋଲି ଆକଳନ କରାଯାଉଛି। ଏଥିରେ ୫ ପ୍ରତିଶତ ଲେଖାଏଁ ଅଧିକ କିମ୍ବା କମ୍ ହୋଇପାରେ। ପୂର୍ବାନୁମାନର ପାଖାପାଖି ୪୨% ସୂଚାଉଛି ଯେ ସାଧାରଣ ବର୍ଷା ହେବା ଓ ୧୨% ସାଧାରଣ ଠାରୁ ଅଧିକ ବର୍ଷା ହୋଇପାରେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ପାଣିପାଗ ବିଶାରଦ ତଥା କୁଳପତି ପ୍ରଫେସର୍ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ଯେ ଏବର୍ଷ ସ୍ୱାଭାବିକ ସମୟ (ଜୁନ୍ ୧୦ ତାରିଖ) ବେଳକୁ ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ଅଧିକ। ଜୁନ୍ ଠାରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ପରିମାଣ ମଧ୍ୟ ସ୍ୱାଭାବିକ ହେବ। ଜୁନ୍ ମାସରେ ଟିକିଏ ଅଧିକ ବର୍ଷା ହୋଇପାରେ। ସେହିଭଳି ପ୍ରାକ୍ ମୌସୁମୀ ଅର୍ଥାତ୍ ମେ’ ମାସରେ ଅଧିକ ବର୍ଷା ହୋଇପାରେ। ଏଣୁ ଚାଷ ଆରମ୍ଭ କରିବା ପାଇଁ କୌଣସି ସମସ୍ୟା ନାହିଁ।

ଡ. ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଏଥର ଏଲ୍ନିନୋର ପ୍ରଭାବ ଦକ୍ଷିଣ ଭାରତ ଉପରେ ପଡିପାରେ। କିନ୍ତୁ ଓ଼଼ଡ଼ିଶା ପାଇଁ ଆଦୌ ଭୟ ନାହିଁ। ବରଂ ଏବର୍ଷ ଓଡ଼ିଶାରେ ଭଲ ବର୍ଷା ହେବ। ପଶ୍ଚିମ, ଆଭ୍ୟନ୍ତରୀଣ, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସବୁଠାରେ ଭଲ ବର୍ଷା ସୂଚାଉଛି। ଏଭଳି ପରିପ୍ରେକ୍ଷୀରେ ଚାଷୀମାନେ କମ୍ ଦିନିଆ ଧାନ ଉତ୍ପାଦନ ପାଇଁ ନିଜକୁ ପ୍ରସ୍ତୁତି କରିବା ଦରକାର। ଯେମିତିକି ଦୁଇଟି ଫସଲ କରିପାରିବେ। ଅଣଜଳସେଚିତ, ମଧ୍ୟମ, ଢିପ ଜମିରେ ୧୨୦ ଦିନିଆ ଧାନ କରାଯାଇପାରେ।

ସାଧାରଣତଃ ରାଜ୍ୟରେ ଜୁନରେ ହାରାହାରି ୨୨୦ ମିଲିମିଟର ବର୍ଷା ହୋଇଥାଏ। ଜୁଲାଇ ମାସରେ ୩୧୫, ଏବଂ ଅଗଷ୍ଟ ମାସରେ ୩୪୦ ମିଲିମିଟର ବର୍ଷା ହୁଏ। ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ଆଇଏମ୍ଡି ଦେଶରେ ୯୬ପ୍ରତିଶତ ବର୍ଷା ହେବାର ପୂର୍ବାନୁମାନ କରିଥିଲା ବେଳେ ୯୫ ପ୍ରତିଶତ ସାଧାରଣ ବୃଷ୍ଟିପାତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe