ବାତ୍ୟାକୁ ନେଇ ବଡ ସୂଚନା । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କହିଲେ, ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ।

459

କନକ ବ୍ୟୁରୋ : ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ । ବର୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ଗଭୀର ଅବପାତରେ ପରିଣତ ହୋଇଛି । ଆଉ ଏହାକୁ ନେଇ ବଡ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ମୃତ୍ୟୁଞ୍ଜୟ କହିଛନ୍ତି, ଏହି ବାତ୍ୟାଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ୨୬ ତାରିଖ ସନ୍ଧ୍ୟାରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୭୦ରୁ ୯୦ କିଲୋମିଟର ରହିପାରେ । ବିଶାଖାପାଟଣାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ବିଶାଖାପାଟଣାରୁ କଳିଙ୍ଗପଟ୍ଟନମ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୬ ତାରିଖରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଖାସକରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ବାତ୍ୟାଟି ଉପକୂଳ ଅତିକ୍ରମ କରିବା ପରେ ଦୁର୍ବଳ ହେବ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।

ବର୍ତମାନ ଓଡିଶା ଓ ଉତର ଆନ୍ଧ୍ର ଉପକୂଳରେ ବର୍ଷା ସାଙ୍ଗକୁ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ସମୟ ସମୟରେ ୬୦ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେଉଛି । ୨୬ ତାରିଖ ଅପରାହ୍ନରୁ ମଧ୍ୟରାତ୍ରୀ ଯାଏଁ ଘଂଟାପ୍ରତି ସର୍ବାଧିକ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମୟ ସମୟରେ ଘଂଟା ପ୍ରତି ୯୦ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେବ ବୋଲି କହିଛି ।