ସୁନ୍ଦରବନରେ ମାଡହେବ ମହାବାତ୍ୟା । ଭୟଙ୍କର ରୂପ ନେଇ ବୁଧବାର ଦିନ ସ୍ଥଳଭାଗରେ ବାଡେଇବ । ଅମ୍ଫାନ ପ୍ରଭାବରେ ଉଠିବ ୬ ମିଟରର ଜୁଆର, ଧୂଳିସାତ ହେବ କଚ୍ଚାଘର । ଉତ୍ତର ଓଡିଶାରେ ପଡିବ ପ୍ରଭାବ- ଆଇଏମଡି ଡିଜି

2,832

କନକ ବ୍ୟୁରୋ: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ମହାବାତ୍ୟା ଅମ୍ଫାନ । ୨୦ ତାରିଖରେ ମହାବାତ୍ୟା ଅମ୍ଫାନ ଲ୍ୟାଣ୍ଡଫଲ କରିବ । ବୁଧବାର ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ପଶ୍ଚିମବଙ୍ଗ ଦିଘା-ହାତୀଆ ମଝିରେ ଥିବା ସୁନ୍ଦରବନରେ ଲ୍ୟାଣ୍ଡଫଲ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ପ୍ରବଳ ଭୟଙ୍କର ରୂପ ନେଇ ଅମ୍ଫାନ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୬୫ରୁ ୧୭୫ କିମି ବେଗରେ ରହିବ । ବଡକଥା ହେଉଛି ଆଜିଠାରୁ ଉତ୍ତର ଓଡିଶାରେ ପବନ ଆରମ୍ଭ ହୋଇଯିବ । ୫୫ରୁ ୬୫ କିମି ଭିତରେ ପବନ ବୋହିବ ।

ସେପଟେ ଲ୍ୟାଣ୍ଡଫଲ ପଏଣ୍ଟ ପାଖରୁ ବାଲେଶ୍ୱର, ଭଦ୍ରକ ନିକଟ ହୋଇଥିବାରୁ ଏହି ଜିଲ୍ଲାରେ ଅଧିକ ପ୍ରଭାବ ପଡିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହେବ । ଅନେକ କ୍ଷତି ହେବାର ମଧ୍ୟ ଆଶଙ୍କା ରହିବ ।

ତେବେ ଲ୍ୟାଣ୍ଡପଳ ବେଳେ ଉଠିବ ୬ ମିଟରର ଜୁଆର । ବଙ୍ଗୋପସାଗରରେ ଏହା ୨ୟ ବୃହତ ମହାବାତ୍ୟା ହୋଇଥିବାରୁ ଲ୍ୟାଣ୍ଡଫଲ ବେଳେ ଉପକୂଳ ଅଞ୍ଚଳରେ ୬ ମିଟର ଉଚ୍ଚର ଜୁଆର ଉଠିବ । ତେଣୁ କଚ୍ଚା ଘର ଏହି ସବୁ ଅଞ୍ଚଳରେ ଆଦୌ ସୁରକ୍ଷିତ ନୁହେଁ, ଧୂଳିସାତ ହୋଇପାରେ । ଏହି ସମୟରେ ଉତ୍ତର ଉପକୂଳ ମଧ୍ୟରେ ସମୁଦ୍ର ଅଶାନ୍ତ ସହ ଭୟଙ୍କର ରହିବ ।

ଗୋପାଳପୁରରେ ପବନର ବେଗ ୪୫ରୁ ୫୫ କିମି ଭିତରେ ରହିବ । ପୁରୀରେ କ୍ଷତି କମ ହେବ, ୬୦ରୁ ୭୫ କିମି ବେଗରେ ପବନ ବହିବ । ଏସବୁ ଅଞ୍ଚଳରେ ପବନ ବହିବ ମାତ୍ର କ୍ଷତି କମ ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।