ଡିସେମ୍ବରରେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି

1,861

କନକ ବ୍ୟୁରୋ : ସୋମବାର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ, ସୋମବାର ସକାଳ ସାଢେ ୮ଟା ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହା ନିକଟବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟ୍ ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ । ୨୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ପରବର୍ତ୍ତୀ ୪୮ ଘଂଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । କିନ୍ତୁ ବାତ୍ୟାର ଗତିପଥ କେଉଁ ଦିଗରେ ରହିବ ସେନେଇ ବର୍ତମାନ କୌଣସି ଆକଳନ କରିନାହିଁ ଭାରତୀୟ ପାଣିପାଗ ବିଭାଗ ।

ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ରର ଗତିପଥ ବାବଦରେ ଆଇଏମଡି ଜାରି କରିଥିବା ଏହି ଚିତ୍ରକୁ ଦେଖନ୍ତୁ । ଏଥିରୁ ଜଣାପଡୁଛି ଯେ, ଡିସେମ୍ବର ୧ ତାରିଖ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଂଚି ସାରିଥିବ ଏବଂ ସେତେବେଳକୁ ବାତ୍ୟାର ରୂପ ନେଇସାରିଥିବ । କିନ୍ତୁ ଏହା ପରବର୍ତୀ ଗତିପଥ ନେଇ କୌଣସି ଆକଳନ କରିନାହିଁ ଭାରତୀୟ ପାଣିପାଗ ବିଭାଗ । ଜିଏଫଏସ ଆମେରିକା… କିନ୍ତୁ ପାଣିପାଗ ସଂପର୍କୀତ ଅନ୍ତର୍ଜାତୀୟ ମଡେଲ ଜିଏଫଏସ ଅନୁଯାୟୀ ଏହା ବାଂଲାଦେଶ ମୁହାଁ ହେବ । ନଭେମ୍ବର ୨୮ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ, ୨୯ରେ ଅବପାତ ଓ ୩୦ ତାରିଖ ବେଳକୁ ବାତ୍ୟାର ରୂପ ନେବ । ଆଇସିଓଏନ… ଆଇସିଓଏନ୍ ଜର୍ମାନ ମଡେଲ ଅନୁସାରେ ୨୮ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ, ୨୯ରେ ଅବପାତ ଓ ୩୦ରେ ତୀବ୍ର ଅବପାତ ହୋଇ ତାମିଲନାଡୁ ମୁହାଁ ହେବ ।

ଆଇସିଏମଡବ୍ଲୁଏଫ… ୟୁରୋପୀୟ ମଡେଲ ଆଇସିଏମଡବ୍ଲୁଏଫର ଆକଳନ ଅନୁଯାୟୀ- ଡିସେମ୍ବର ୨ରୁ ୪ ମଧ୍ୟରେ ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ତୀବ୍ର ବାତ୍ୟା ରୂପରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ମୁହାଁ ହୋଇପାରେ ।

ଦେଶରେ ବାତ୍ୟା ନେଇ ସଠିକ ପୂର୍ବାନୁମାନ କରିଆସୁଥିବା ଭାରତୀୟ ପାଣିପାଗ ବିଭାଗ କିନ୍ତୁ ଡିସେମ୍ବର ୧ ତାରିଖ ପରେ ବାତ୍ୟାର ଗତି କେଉଁଆଡେ ହେବ ତାହା ସ୍ପଷ୍ଟ କରିନାହିଁ । ଏପରିକି ଏହାର ତୀବ୍ରତା ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ତେଣୁ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବ ବୋଲି ଆକଳନ କରାଯାଉଛି । ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଆଇଏମଡି ସତର୍କ ନଜର ରଖିଛି ।