କନକ ବ୍ୟୁରୋ : ମୌସୁମୀ ଓଡିଶା ଛୁଇଁବା ପରେ ଏହା ରାଜ୍ୟର ୨୪ରୁ ଅଧିକ ଜିଲ୍ଳାରେ ପ୍ରବେଶ କରି ସାରିଛି । ଅଧିକାଂଶ ଜିଲ୍ଲାରେ ବର୍ଷା ବି ହୋଇଛି । ହେଲେ, ଜୁନ୍ ୧ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ଯେତିକି ବର୍ଷା ହୋଇଛି ତାହା ଚିନ୍ତାଜନକ । ଆଇଏମଡିର ତଥ୍ୟ ଅନୁସାରେ,ଜୁନ୍ ୭ରୁ ୨୨ ପର୍ଯ୍ୟନ୍ତ ସାରା ରାଜ୍ୟରେ ୮୩. ୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ । ଚିନ୍ତାର ବିଷୟ ହେଉଛି ।

Advertisment

୧୭ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର ଓ କେନ୍ଦୁଝର ଓ ପୁରୀ, ୫ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ମାତ୍ର ୮ଜିଲ୍ଳାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

ସ୍ୱାଭାବିକ ଭାବେ ବର୍ଷା ହୋଇଥିଲେ ଏତେ ବେଳକୁ ଚାଷ କାର୍ଯ୍ୟ ଜୋରସୋରରେ ଆଗେଇ ଯାଆନ୍ତାଣି । ହେଲେ, ବର୍ଷା ଅଭାବରୁ ଏବେ ଜମି ଫାଟି ଆଁ କଲାଣି । ଚାଷୀ ଧାନ ବିହନ କିଣି ରଖିଛିି, ହେଲେ ବୁଣି ପାରୁନି । ବର୍ଷା ହେଉନଥିବାରୁ ଚାଷୀକୁ ଗଜା ମରୁଡି ଆଶଙ୍କା ଘାରିଛି । ତେବେ ଆଶ୍ୱସ୍ତିର ବିଷୟ ହେଉଛି ୨୫ରୁ ବର୍ଷା ବଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶିକା ।

ବିଶେଷକରି କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ ଓ ଗଞ୍ଜାମର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ହେବାର ସମ୍ଭାବନା ରହିଛି । ଏଥିସହ ଉପକୂଳ ଓଡିଶା ସମେତ ବଲାଙ୍ଗୀର, ନୂଆପଡା, ସୋନପୁର ଜିଲ୍ଳାର କିଛି ସ୍ଥାନରେ ଘଡଘଡି ବିଜୁଳି ମାରିବାର ସମ୍ଭାବନା ରହିଛି । ଏଥିପାଇଁ ଆଗାମି ୪ଦିନ ପାଇଁ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଜାରି କରାଯାଇଛି ।