ଓଡ଼ିଶାରେ ଆରମ୍ଭ ହେଲାଣି କି ଗୋଷ୍ଠୀ ସଂକ୍ରମଣ ? ଚିନ୍ତା ବଢ଼ାଇଲା ଆଇଏମଏର ଗୋଷ୍ଠୀ ସଂକ୍ରମଣ ସମ୍ପର୍କିତ ବୟାନ ।

2,863

କନକ ବ୍ୟୁରୋ : ଦେଶରେ ବଢ଼ୁଥିବା ସଂକ୍ରମଣ ସଂଖ୍ୟା ଏବଂ କେରଳରେ ଗୋଷ୍ଠୀ ସଂକ୍ରମଣର ଖବର ଭିତରେ ଯେଉଁ ପ୍ରଶ୍ନଟି ମନକୁ ପ୍ରଥମେ ଆସୁଛି ତାହା ହେଲା, ଭାରତରେ ଆରମ୍ଭ ହେଲାଣି କି ଗୋଷ୍ଠୀ ସଂକ୍ରମଣ ? ଓଡ଼ିଶାରେ କ’ଣ ରହିଛି ସଂକ୍ରମଣର ସ୍ଥିତି ? ଆଉ ଏଭଳି ଆଶଙ୍କା ଭିତରେ ଆଇଏମଏ ବା’ ଇଣ୍ଡିଆନ ମେଡିକାଲ ଆସୋସିଏସନର ମନ୍ତବ୍ୟ ସମସ୍ତଙ୍କୁ ବିଚଳିତ କରିଦେଇଛି । ଆଇଏମଏ ହସ୍ପିଟାଲ ବୋର୍ଡର ଅଧ୍ୟକ୍ଷ କହିଛନ୍ତି, ‘ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ’ ଆଉ ଖରାପ ସ୍ଥିତି ଆଡକୁ ଯାଉଛି ଦେଶର କରୋନା ସ୍ଥିତି ।

ଡାକ୍ତର ଭି.କେ ମୋଙ୍ଗା କହିଛନ୍ତି, ଭାରତରେ ଦିନକୁ ଦିନ ସଂକ୍ରମଣର ହାର ବଢି ଚାଲିଛି । ପ୍ରତିଦିନ ପାଖାପାଖି ୩୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଏହା ପଛରେ ବହୁତ କାରଣ ରହିଛି । ବିଶେଷ କରି ଗ୍ରାମାଂଚଳରେ ଏହା ବ୍ୟାପିବାରେ ଲାଗିଛି । ଯାହା ଏକ ଖରାପ ଦିଗକୁ ଇଙ୍ଗିତ କରୁଛି ।

ଆଉ ଏତିକି ବେଳେ ପ୍ରଶ୍ନ ଆସୁଛି ଓଡ଼ିଶାରେ କ’ଣ ରହିଛି ସ୍ଥିତି ? ଆଇଏମଏ ଓଡ଼ିଶା ଚାପ୍ଟର ସମ୍ପାଦକ ପ୍ରତ୍ୟୁଷ ରାୟ କହିଛନ୍ତି, କରୋନାର ଗୋଷ୍ଠୀ ସଂକ୍ରମଣ ହୋଇଛି ନା’ ନାହିଁ କହିବା କେବଳ ଆଇସିଏମଆର କିମ୍ବା ସରକାରଙ୍କ ଅଧିକାର ପରିସରଭୁକ୍ତ । ଆଉ କେହି ତାହା କହିପାରିବେ ନାହିଁ । କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ।

ସେହିପରି ବରିଷ୍ଠ ଚିକିତ୍ସକ ନିରଜ ମିଶ୍ର କହିଛନ୍ତି, ରାଜ୍ୟ ତଥା ଦେଶରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ସୃଷ୍ଟି ହୋଇଛି । କିଛି ପାରିମାଣରେ ଗୋଷ୍ଠୀ ସଂକ୍ରମଣ ହୋଇଛି ଭଳି ଲାଗୁଛି । କାରଣ ଅନେକ କ୍ଷେତ୍ରରେ ପଜିଟିଭଙ୍କ କଂଟ୍ରାକ୍ଟ ଟ୍ରେସିଂ ହୋଇପାରୁନାହିଁ ।

ଅନ୍ୟପଟେ ଡାକ୍ତର ଜୟନ୍ତ ପଣ୍ଡାଙ୍କ ମତରେ, ଗୋଷ୍ଠୀ ସଂକ୍ରମଣ ଦେଶର କିଛି ରାଜ୍ୟରେ ଆରମ୍ଭ ହୋଇଛି । କେରଳ ସରକାର ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । କିନ୍ତୁ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ଯାହା, ତାକୁ ଦେଖିଲେ କହି ହେବ ନାହିଁ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇଛି ।

ଆଉ ଏପଟେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଆଇଏମଏ ଗୋଷ୍ଠୀ ସଂକ୍ରମଣ ନେଇ ଯାହା କିଛି କହିଛି, ତାହା ଓଡ଼ିଶାରେ ମଧ୍ୟ ଲାଗୁ ହେଉଛି । ଆମେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛେ ।

ଆଇଏମଏର ବୟାନ ଏବଂ ଗୋଷ୍ଠୀ ସଂକ୍ରମଣକୁ ନେଇ ବରିଷ୍ଠ ଚିକିତ୍ସକ ରଖୁଥିବା ମତ ସେହି ଗୋଟିଏ ଦିଗକୁ ଇସାରା କରୁଛି ଯେ, ଆଗକୁ ଦେଶ ଓ ଓଡ଼ିଶା ପାଇଁ ଅଧିକ ସଂକଟଜନକ ରହିଛି ।