ମୁଁ ଦେଶର ଅନଅଫିସିଆଲ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଁ କେବେ ବଦଳିବି ନାହିଁ : ବାବା ରାମଦେବ

163

କନକ ବ୍ୟୁରୋ : ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ରେ ଯୋଗ ଦେଇ ଯୋଗଗୁରୁ ବାବା ରାମଦେବ ବଡ ବୟାନ ଦେଇଛନ୍ତି । ରାମଦେବ କହିଛନ୍ତି, ମୁଁ ଦେଶର ଅନଅଫିସିଆଲ ସ୍ୱାସ୍ଥ୍ୟମନ୍ତ୍ରୀ । ସରକାରରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ବଦଳିଥାନ୍ତି । କିନ୍ତୁ ମୁଁ କେବେ ବଦଳିବି ନାହିଁ । ୭ରୁ ୮ ପିଢୀଙ୍କୁ ଯୋଗ ଶିଖାଇବା ସହ ନିରୋଗ ରଖି ଦେଶକୁ ଆଗକୁ ବଢାଇବି ।

ଏହାସହ ଓଡିଶାର ପ୍ରାକୃତିକ ସମ୍ପଦର ବ୍ରାଣ୍ଡ ଆମ୍ବାସଡର ହେବାକୁ ରାଜି ଥିବା କହିଛନ୍ତି ବାବା ରାମଦେବ । ଭର୍ଚୁଆଲରେ ରାମଦେବ ଏହି କାର୍ଯ୍ୟକ୍ରମରେ ଯୋଡି ହେବା ସହ ‘ଆତ୍ମ ନିର୍ଭର ଓଡିଶା’ ପ୍ରସଙ୍ଗରେ ନିଜର ମତ ରଖି କହିଛନ୍ତି । ରାମଦେବ କହିଛନ୍ତି,ଆତ୍ମନିର୍ଭରଶୀଳ ହେବା ପାଇଁ ଶାରୀରିକ ସୁସ୍ଥତା ଜରୁରୀ ଏବଂ ଶାରିରୀକ ସୁସ୍ଥତା ପାଇଁ ଯୋଗ ଜରୁରୀ । ପ୍ରଚାର ହିଁ ବିସ୍ତାରର ମାଧ୍ୟମ ବୋଲି କହିଛନ୍ତି ରାମଦେବ । । ମୁଁ ଜଣେ ଆତ୍ମନିର୍ଭର ସନ୍ନ୍ୟାସୀ । ଲୋକେ କହୁଥିଲେ ମୁଁ ବେପାର କରୁଛି । କିନ୍ତୁ ମୁଁ ଲୋକଙ୍କ ଉପଚାର କରୁଛି । ଲୋକଙ୍କୁ ସ୍ୱାବଲମ୍ବୀ କରୁଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆତ୍ମନିର୍ଭର ହେବାର ଆବଶ୍ୟକତା ରହିଛି । ଆତ୍ମନିର୍ଭର ଦ୍ୱାରା ରାଷ୍ଟ୍ରନିର୍ମାଣ ହୋଇପାରିବ । ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶାରୀରିକ ସୁସ୍ଥତା ପାଇଁ ଯୋଗ ନିହାତି ଜରୁରୀ । ଯୋଗ ଦ୍ୱାରା ଆତ୍ମନିର୍ମାଣ ହେବ, ଏହାଦ୍ୱାରା ରାଷ୍ଟ୍ର ନିର୍ମାଣ ମଧ୍ୟ ହେବ । ଯାହାର ଯେତେ ପ୍ରଚାର ହେବ ତାହାର ସେତେ ବିସ୍ତାର ହେବ । ତେଣୁ ନିଜର ସାମଗ୍ରୀକୁ ବିଭିନ୍ନ ପ୍ଲାଟଫର୍ମରେ ପ୍ରଚାର ପ୍ରସାର କରିବା ଆବଶ୍ୟକ । ଏବେ ପୂରା ଦେଶକୁ ଓଡ଼ିଶା ଚଳାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସବୁ କ୍ଷେତ୍ରରେ ଓଡ଼ିଶାର ଲୋକ ଉଚ୍ଚ ପଦବୀରେ ରହିଛନ୍ତି ।

ଯେଉଁଠି ଓଡ଼ିଶାର ଆତ୍ମନିର୍ଭରତା ରହିଛି, ଯେଉଁଠି ଦେଶର ଆତ୍ମନିର୍ଭରତା ସନ୍ନିହିତ ଅଛି ତାହାର ବ୍ରାଣ୍ଡ ଆମ୍ବାସଡର ହେବାକୁ ମୁଁ ପ୍ରସ୍ତୁତ ।ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ଆଗକୁ ନେବାକୁ ବିନା କୌଣସି ସ୍ୱାର୍ଥରେ ମୁଁ ପ୍ରତିବଦ୍ଧ ଅଛି ବୋଲି କହିଛନ୍ତି ରାମଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୋର ଭଲ ସମ୍ପର୍କ ରହିଛି । ଓଡ଼ିଶାରେ ପତଞ୍ଜଳୀ ସଂସ୍ଥାନ ନିର୍ମାଣ ହେଉ ଏବଂ ଏଥିରୁ ରାଜ୍ୟବାସୀ ଲାଭ ପାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଁ ସରକାରୀ ସ୍କୁଲରେ ପଢିଛି । ମୋ ପାଖରେ ପିନ୍ଧିବାକୁ ପୂର୍ବରୁ ଗରମ କପଡା ମଧ୍ୟ ନଥିଲା । କିନ୍ତୁ ଏବେ ଗରମ କପଡା ପିନ୍ଧିବାର ବି ଆବଶ୍ୟକତା ବି ନାହିଁ । ପୂର୍ବରୁ ଟଙ୍କା ନଥିଲା,ଏବେ ଟଙ୍କାର ଆବଶ୍ୟକତା ନାହିଁ । ଯାହା ବି ସମ୍ପତ୍ତି ଅଛି ସବୁ ଦେଶବାସୀଙ୍କ ପାଇଁ । ମୁଁ ଏଯାବତ୍ ବ୍ୟାଙ୍କ ଆକାଉଣ୍ଟ ଖୋଲିନି ବୋଲି କହିଥିଲେ ରାମଦେବ । ଏହାଛଡା ରାମଦେବ କହିଛନ୍ତି, ଲୋକେ କହୁଥିଲେ ଗୁରୁକୁଳରେ ପଢିଛି ମୋ ଦ୍ୱାରା କିଛି ହେବନି । କିନ୍ତୁ ନିଜ ମାତୃଭାଷା ବଳରେ ଲୋକେ ସଫଳତାର ଶୀର୍ଷରେ ପହଞ୍ଚିପାରିବ । ଏଥିପାଇଁ ପ୍ରଚଣ୍ଡ ଏକାଗ୍ରତା ଓ ପରିଶ୍ରମ ଆବଶ୍ୟକ । ଆଉ ଏଥିପାଇଁ ନିଜ ସ୍ୱପ୍ନ ପଥରେ ନିରନ୍ତର ଚାଲିବାକୁ ପଡିବ ।

କରୋନାକୁ ନେଇ ରାମଦେବ କହିଥିଲେ, ମୋତେ କରୋନା ତ ଦୂରର କଥା କୌଣସି ଥଣ୍ଡା, ଜ୍ୱର ମଧ୍ୟ ହେଉନାହିଁ । ଆଉ ଏହାର କାରଣ ହେଲା ଯୋଗ । ୪୫ ବର୍ଷରୁ ଅଧିକ ଦିନ ହେବ ଯୋଗ କଲିଣି, ଦିନେ ବି ରୋଗରେ ପିଡୀତ ହୋଇନି । ବିନା ବିଶ୍ରାମରେ ମୁଁ ବେଶ ଖୁସି ଅଛି । କୋଟି କୋଟି ଲୋକଙ୍କୁ କରୋନାରୁ ରକ୍ଷା କରିଛି । ଯେଉଁମାନଙ୍କୁ କରୋନା ହୋଇଥିଲା ସେମାନଙ୍କୁ ବଞ୍ଚାଇବାରେ ସାଥ୍ ଦେଇଛି । ଏମ୍ସ ନିର୍ଦ୍ଦେଶକ କହିଥିଲେ, ୯୦ ପ୍ରତିଶତ କରୋନା ରୋଗୀଙ୍କୁ ହସ୍ପିଟାଲ ଯିବାର ଆବଶ୍ୟକତା ନାହିଁ । ମୁଁ ମଧ୍ୟ ସମାନ କଥା କହିଥିଲି, ୯୦ରୁ ୯୫ ପ୍ରତିଶତ କରୋନା ରୋଗୀ ଯୋଗ କରି ନିଜକୁ ସୁସ୍ଥ କରିପାରିବେ ।

ଏହାସହ ରାମଦେବ କହିଥିଲେ, ପ୍ରକୃତି ସହ ନିଜକୁ ଯୋଡିଲେ ଜୀବନରେ କୌଣସି ବିକୃତି ଆସିବନି । ଏହା ମାଧ୍ୟମରେ ଅନେକ ଲୋକଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆତ୍ମନିର୍ଭର କରିପାରିଛି । ଭାରତକୁ ଆତ୍ମନିର୍ଭର କରିବାକୁ ହେଲେ ପ୍ରଚଣ୍ଡ ପରିଶ୍ରମ କରିବାକୁ ପଡିବ । ସବୁ ଲୋକ ପରିଶ୍ରମ କଲେ, ଆଗାମୀ ୨୦ ବର୍ଷ ଭିତରେ ପ୍ରତ୍ୟେକ କ୍ଷେତ୍ରରେ ଭାରତ ପୂରା ବିଶ୍ୱର ନେତୃତ୍ୱ ନେଉଥିବ ।