କମୁଛି ‘ଭାଇରସ୍’ର ଶକ୍ତି । ସାମ୍ନାକୁ ଆସିଲା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ତଥ୍ୟ । ଏବେ ସଂକ୍ରମିତ ହେଉଥିବା ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି କମ୍ ଭାଇରାଲ ଲୋଡ ।

267

କନକ ବ୍ୟୁରୋ: ଦ୍ୱିତୀୟ ଲହର ତାଣ୍ଡବ ରଚିବା ପରେ ଆଜି ଏକ ଭଲ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ ଲାଇଫ ସାଇନ୍ସ ଯେଉଁ ଅଧ୍ୟୟନ କରୁଥିଲା, ସେ ନେଇ ଆଜି ତଥ୍ୟ ଦେଇଛନ୍ତି ଏହାର ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି, ବର୍ତମାନ ଯେଉଁମାନେ ଆକ୍ରାନ୍ତ ଭାବେ ଚିହ୍ନଟ ହେଉଛନ୍ତି ସେମାନଙ୍କଠାରେ ସିଟି ଭାଲ୍ୟୁ ଅଧିକ ରହୁଛି ଅର୍ଥାତ ଭାଇରାଲ ଲୋଡ କମ ରହୁଛି ।

ସିଟି ଭେଲ୍ୟୁ  ହେଉଛି ସାଇକେଲ ଥ୍ରେସହୋଲଡ । ସାଧାରଣ ଅର୍ଥରେ କହିଲେ, ମଣିଷ ଦେହରୁ ନିଆଯାଇଥିବା ସ୍ୱାବକୁ ସାଇକେଲ ବା ଚକ୍ର ଆକାରରେ ବୁଲାଯାଏ  । ଯେଉଁ ସାଇକେଲରେ ଭାଇରସ ଚିହ୍ନଟ ହୁଏ  ସେହି ବ୍ୟକ୍ତିର ସଂକ୍ରମଣର ସିଟି ଭାଲ୍ୟୁ ସେତିକି ହୋଇଯାଏ । ଉଦାହରଣସ୍ୱରୂପ, ଯଦି ପଂଚମ  ସାଇକେଲ ବା ଚକ୍ରରେ ଭୂତାଣୁ ଚିହ୍ନଟ ହୁଏ ତେବେ ସିଟି ଭେଲ୍ୟୁ ୫ ବୋଲି କୁହାଯିବ । ଯଦି ୩୫ ସାଇକେଲ ବା ଚକ୍ରରେ ଭୂତାଣୁ ଚିହ୍ନଟ ହେବନାହିଁ  ତେବେ ସେହି ବ୍ୟକ୍ତି ନେଗେଟିଭ କିମ୍ବା ତାଙ୍କଠାରେ ସଂକ୍ରମଣ ନାହିଁ ବୋଲି କୁହାଯିବ ।  ଅର୍ଥାତ ସିଟି ଭେଲ୍ୟୁ ଯେତେ ଅଧିକ ରହିବ, ଭାଇରାଲ ଲୋଡ ସେତେ କମ ରହିବ । ଏହାକୁ ବିଶ୍ଳେଷଣ କରି ଡାକ୍ତର ନୀରଜ ମିଶ୍ର କହିଛନ୍ତି ଭାଇରାଲ ଲୋଡ କମିଛି ବୋଲି  ରୋଗୀ ଯେ ଗୁରୁତର ହେବେ ନାହିଁ ଏହା କୁହାଯାଇପାରିବ ନାହିଁ । କିନ୍ତୁ  ସେହି ବ୍ୟକ୍ତିଙ୍କଠାରୁ  ସଂକ୍ରମଣର ସମ୍ଭାବନା କମିଯିବ ।

ସେପଟେ ଗତ ୨୪ ଘଂଟାରେ ଓଡିଶାରେ ୪୩୩୯ ସଂକ୍ରମିତ ଚିହ୍ନଟ ହୋଇନ୍ତି । ଟିପିଆର ବା ସଂକ୍ରମଣ ହାର ୬.୩୩ ପ୍ରତିଶତକୁ ଖସିଆସିଛି । କିନ୍ତୁ ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଭଳି ୭ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହୁଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଗାଁମାନଙ୍କରେ ହାର୍ଡ ଇମ୍ୟୁନିଟି ବା ସମୂହ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା କାରଣରୁ ଏଠାରେ ସେତେମାତ୍ରାରେ ସଂକ୍ରମଣ ଦେଖାଯାଇନାହିଁ ।  ଯଦି ଏହା ସତ ହୋଇଥାଏ ତେବେ ଏକ ବଡ ଜନସଂଖ୍ୟା ଏହି ମହାମାରୀରୁ  ବର୍ତିଯିବ ।