କରୋନାର ନୂଆ ଷ୍ଟ୍ରେନ ବଢାଉଛି ରାଜ୍ୟରେ ଦ୍ରୁତ ସଂକ୍ରମଣ । ଆଇଏଲଏସ ନିର୍ଦ୍ଦେଶକ କହିଲେ ଆଗକୁ କଣ ହେବ କହିବା ମୁସ୍କିଲ, ସଚେତନ ନହେଲେ ଓଡିଶାରେ ଦେଖାଦେଇପାରେ ଛତିଶଗଡ ପରିସ୍ଥିତି ।

217

କନକ ବ୍ୟୁରୋ : ରାଜ୍ୟ ଓ ଦେଶରେ କରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପ୍ରତିକ୍ରିୟା । ଭାଇରସର ଏହି ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ । ଦ୍ରୁତ ଗତିରେ ସଂକ୍ରମଣ କରୁଛି ଏହି ଦ୍ୱିତୀୟ ଷ୍ଟ୍ରେନ । ସଂକ୍ରମଣ ଯେଉଁ ଭଳି ଭାବେ ବଢ଼ୁଛି ଏହା ଚିନ୍ତା ଜନକ । ଆଗକୁ କ’ଣ ହେବ କିଛି କହିହେବନି । କେବେ କମିବ ତାହା ଅନୁମାନ କରିହେବନାହିଁ । ଏହି ନୂଆ ଷ୍ଟ୍ରେନ ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି । ଲୋକମାନେ ସଚେତନ ରହିବା ନିହାତି ଆବଶ୍ୟକ । ଲୋକେ ସଚେତନ ନହେଲେ ଛତିଶଗଡ ଭଳି ପରିସ୍ଥିତି ଓଡିଶାରେ ଦେଖାଯିବା ଅସମ୍ଭବ ନୁହେଁ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

ଭୁବନେଶ୍ୱରକୁ ବାହାରୁ ଲୋକ ଆସୁଥିବାରୁ ଏଠାରେ କରୋନା ଟିକିଏ ଅଧିକ ବ୍ୟାପୁଛି । ସଂକ୍ରମଣକୁ ଦୃ୍ଷ୍ଟିରେ ରଖି ସରକାର ନିଷ୍ପତି ନେବେ । ତେବେ ଓଡ଼ିଶାରେ କେଉଁ ଷ୍ଟ୍ରେନ ବ୍ୟାପୁଛି ଓ ଏହା କେମିତି ପ୍ରଭାବ ପକାଉଛି ସେ ବାବଦରେ ଏଯାଏଁ କୌଣସି ସୂଚନର ମିଳି ପାରିନାହିଁ । ଅଧିକାଂଶ କରୋନା ସଂକ୍ରମିତ ଲକ୍ଷଣବିହୀନ, ତେଣୁ ତୁରନ୍ତ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ତେବେ ସଂକ୍ରମଣ ବଢୁଥିଲେ ମଧ୍ୟ ମୃତ୍ୟୁହାର ସେଭଳି ବଢୁନାହିଁ ଯାହା ଏକ ଭଲ ଲକ୍ଷଣ । ଏବେ ସଂକ୍ରମଣ ରୋକିବାକୁ ସରକାର ନାଇଟକର୍ଫ୍ୟୁ ଭଳି ନିଷ୍ପତି ନେଇଛନ୍ତି, କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଯଦି ସଂକ୍ରମଣ ବ୍ୟାପେ ତେବେ ସରକାର ଆଉ କିଛି ମଧ୍ୟ ନିଷ୍ପତି ନେଇପାରନ୍ତି ।