ବାଲେଶ୍ୱରରେ ଚୋରି ହେଉଛି ଉର୍ବର ମାଟି । ଚାଷ ଜମିରୁ ମାଟି ଖୋଳି ନେଉଛନ୍ତି ଦଲାଲ, ପ୍ରଭାବିତ ହେଉଛି ଚାଷ ।

93

କନକ ବ୍ୟୁରୋ : ଉର୍ବର ଚାଷ ଜମିରୁ ମାଟି ଲୁଟୁଛନ୍ତି ଦଲାଲ । ପୋଲ ଓ ରାସ୍ତା ନିର୍ମାଣ ପାଇଁ ଚାଷ ଜମିରୁ ମାଟି ଖୋଳି ବିକ୍ରି କରୁଛନ୍ତି ଦଲାଲ । ଫଳରେ ଜମି ଖାଲୁଆ ହେବା ସହ ଜମିର ଉର୍ବରତା କମି ଯାଉଥିବା ଅଭିଯୋଗ ହୋଇଛି ।

ଖଣି ଚୋରି, ପାଣି ଚୋରି, ବାଲି ଚୋରି, ମୋରମ ଚୋରି, ଚୁନ ପଥର ଚୋରି ଖବର ଆପଣ ଶୁଣିଥିବେ, ହେଲେ ମାଟି ଚୋରି କଥା ହୁଏତ କେବେ କେହି ଜାଣିନଥିବେ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଓ ଭୋଗରାଇ ଅଞ୍ଚଳରୁ ଉର୍ବର ମାଟି ଚୋରି କରି ନେଉଛନ୍ତି ଦଲାଲ । ରାସ୍ତା ଓ ପୋଲ ନିର୍ମାଣ ବାହାନାରେ ସୁବର୍ଣ୍ଣରେଖା ନଦୀର ଉଭୟ ପଟେ ଥିବା ଚାଷ ଜମିରୁ ଜେସିବି ଓ ଟ୍ରାକ୍ଟର ଲଗାଇ ଶହଶହ ଟ୍ରିପ୍ ମାଟି ଖୋଳି ନେଉଛନ୍ତି । ଫଳରେ ଜମିର ଉର୍ବରତା କମି ଯାଉଛି, ଚାଷ କାମ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।

ପ୍ରତିବର୍ଷ ନଦୀରେ ବନ୍ୟା ଆସିଲେ ଚାଷ ଜମିରେ ପଟୁ ମାଡିଯାଏ, ଫଳରେ ଜମିର ଉର୍ବରତା ବଢେ । ଚାଷୀ ଧାନ, ଆଖୁ, ଚିନାବାଦାମ ସହ ପନିପରିବା ଚାଷ କରି ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ଏବେ ଚାଷ ଜମିରେ ଦଲାଲଙ୍କ ନଜର ପଡିଥିବାରୁ ଜମି ଚାଷ ଅନୁପଯୋଗୀ ହୋଇଯାଇଛି । ଖାଲ ହେବା ସହ ଜମିର ଉର୍ବରତା କମି ଯାଉଛି । ସୁବର୍ଣ୍ଣରେଖା ନଦୀର ପନ୍ତେଇ ଘାଟରେ ଏକ ପୋଲ ନିର୍ମାଣ କରାଯାଉଛି । ପୋଲ କାମ କରୁଥିବା ଏଲଆଣ୍ଡଟି କମ୍ପାନୀ ମାଟି ପକାଇ ରାସ୍ତା ନିର୍ମାଣ କରୁଛି । ଏହାର ସୁଯୋଗ ନେଇ ଦଲାଲମାନେ କିଛି ଲୋକଙ୍କ ପ୍ରଲୋଭିତ କରି ଟ୍ରିପ ପିଛା ୩୦ରୁ ୪୦ ଟଙ୍କା ଦେଇ ଜମିରୁ ମାଟି ଖୋଳି ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।