୪୦ ବର୍ଷ ଧରି ପାହାଡରୁ ଲୁଟ୍ । ଇଓଡବ୍ଲ୍ୟ ଚଢଉ ପରେ ବି ବଦଳିନି ସ୍ଥିତି, କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି

173

କନକ ବ୍ୟୁରୋ : ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ଜାବରା ପାହାଡ । ତିନି କିଲୋମିଟର ବ୍ୟାପି ଏହି କଳାପାହାଡର କେତୋଟି ସଇରାତକୁ ରାଜସ୍ୱ ବିଭାଗ ଦୀର୍ଘ ମିଆଦି ସୂତ୍ରରେ ଲିଜ୍ ଦେଇଥିଲା । ଏବଂ ଲିଜଧାରୀ ମନଇଛା କଳାପଥର ଉତୋଳନ କରି ପାହାଡକୁ ଶ୍ରୀହିନ କରିଦେଇଛନ୍ତି । ଲିଜ ଏରିଆ ବାହାରୁ ମଧ୍ୟ ଉତୋଳନ କରାଯାଇଛି । ପ୍ରତିଦିନ ଟ୍ରାକ୍ଟର ଓ ଟ୍ରକରେ ଶହଶହ ଟ୍ରିପ କଳାପଥର ସ୍ଥାନୀୟ କ୍ରସରକୁ ଚୋରାଚାଲାଣ ହେଉଛି । ଏ ଖବର ଗଣମାଧ୍ୟମରେ ପ୍ରସାରଣ ପରେ ପ୍ରଶାସନ ଡ୍ରୋନ ସର୍ଭେ କରି ଦୁଇ ଲିଜଧାରୀଙ୍କୁ ପ୍ରାୟ ୧୫ କୋଟି ଟଙ୍କାର ଜରିମାନା କରିଛି । ଜରିମାନା ଅର୍ଥ ଆଦାୟ ହୋଇନଥିବା ବେଳେ ସମ୍ପୃକ୍ତ ଲିଜଧାରି ଏବେ ବି ଖଣି ଖନନ କରୁଥିବା ଅଭିଯୋଗ ହୋଇଛି ।

ଜାବରା ପାହାଡରେ ୧୪୪ ଧାରା ଜାରି ରହିିଥିଲେ ମଧ୍ୟ ପଥର ଉତୋଳନ ଓ ଚୋରା ଚାଲାଣ ଜାରି ରହିଛି । ଫଳରେ ଆରୁହା, ଯୋଗରଡା, ମୁରାରିପୁର, ନାନପୁର, ବାଟିଜଙ୍ଗା, ଜାବରାତଳି ଗାଁର ଲୋକ ସମସ୍ୟା ଭୋଗୁଛନ୍ତି । ବେଆଇନ୍ କମ୍ପ୍ରେସର ବ୍ୟବହାର କରି ବ୍ଲାଷ୍ଟିଂ କରାଯାଉଥିବାରୁ ଘରଦ୍ୱାର ଦୋହଲି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମାମଲାର ଗମ୍ଭୀରତାକୁ ଆଖି ଆଗରେ ରଖି ଲୋକାୟୁକ୍ତ ଇଓଡବ୍ଲ୍ୟୁକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୨୦୨୨ ସେପ୍ଟେମ୍ବର ମାସରେ ଇଓଡବ୍ଲ୍ୟୁ ଜାବରା ପାହାଡରେ ତଦନ୍ତ କରିଥିଲେ । ହେଲେ ବର୍ତମାନର ସ୍ଥିତିକୁ ଦେଖିଲେ କର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି । ଜରିମାନା ହୋଇଥିବା ଲିଜଧାରୀମାନେ ଆଇନର ଉର୍ଦ୍ଦରେ କି? ହାଇକୋର୍ଟରେ ଜରିମାନା ବିରୁଦ୍ଧରେ ରହିତାଦେଶ ଆଣି ରାଜସ୍ୱ ଫାଙ୍କି ଦେବେ ନାହିଁ ତ ଲିଜଧାରୀ? ଇଓଡବ୍ଲ୍ୟୁ ସରଜମିନ ତଦନ୍ତ ପରେ ବି ସ୍ଥାନୀୟ ପ୍ରଶାସନ ତତ୍ପର ହେଉନାହିଁ କାହିଁକି?

ସେପଟେ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର କହିଛନ୍ତି, ସ୍ଥାନୀୟ ଜନତା ସହଯୋଗ କଲେ ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ।
ଧର୍ମଶାଳା ତହସିଲର ଏହି ଜାବରା ପାହାଡରୁ କଳାପଥର ଲୁଟ ରୋକିବାରେ ପ୍ରଶାସନ ଅଧିକ ତତ୍ପରତା ଦେଖାଇଲେ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କିକୁ ରୋକାଯାଇପାରିବ ।