ବାରୁଗଦାର ହବ୍ ପାଲଟିଛି ଜେନାପୁର । ମାଟି ତଳୁ ବାହାରୁଛି ବସ୍ତାବସ୍ତା ଆମୋନିଆ ନାଇଟ୍ରୋଜେନ୍ ସାର ସହ ବିସ୍ଫୋରକ ।

143

କନକ ବ୍ୟୁରୋ : ବାରୁଗଦାର ହବ୍ ପାଲଟିଛି ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଜେନାପୁର ଅଞ୍ଚଳ । ବିଭିନ୍ନ ସମୟରେ ଜବତ ହେଉଛି ବେଆଇନ ବିସ୍ଫୋରକ ସାମଗ୍ରୀ । ପାହାଡ ଫଟାଇବା ପାଇଁ କେମିତି କେଉଁଠୁ ଆସୁଛି ଏହି ବିସ୍ଫୋରକ ସାମଗ୍ରୀ । ଚାରିଆଡେ ପୁଲିସର କଡା ନଜର ରହିଥିବା ସତ୍ୱେ ଏହି ସବୁ ଅଞ୍ଚଳକୁ କେମିତି ଆସୁଛି ଏହି ବିସ୍ଫୋରକ ଓ ଆମୋନିଆ ନାଇଟ୍ରେଟ୍ ସାର ତାକୁ ନେଇ ଉଠିଛି ପ୍ରଶ୍ନ ।

ପାହାଡ ଫଟାଇବା ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀ ଜିଲୋଟିନ, କେଡେକ୍ସ ଓୟାର । ଆଉ ଧଳା ବସ୍ତା ଭିତରେ ଭର୍ତ୍ତି ହୋଇ ରହିଛି, ଆମୋନିଆ ନାଇଟ୍ରେଟ ସାର । ଯାଜପୁର ଜିଲ୍ଲାର ଜେନାପୁର ପୁଲିସ ଓ ଧର୍ମଶାଳା ତହସିଲ ପକ୍ଷରୁ ଜେନାପୁର ଥାନାର ଚଡେଇଧରା ଓ ସାତମାଣ ଅଞ୍ଚଳରେ ଚଢାଉ ବେଳେ ଏଗୁଡିକ ଜବତ ହୋଇଛି ।

ଆମୋନିଆ ନାଇଟ୍ରେଟ ସାର, ଜିଲୋଟିନ, କେଡେକ୍ସ ଓୟାର ସହିତ ଡିଟୋନେଟର ବ୍ୟବହାର କରି ମେଗର ସାହଯ୍ୟରେ ପଥର ଫଟା ଯାଏ । ବାଜବାଟି, ଆରୁହା, ଡଙ୍କାରୀ, ଚଡେଇଧରା, ବାଘୁଆ, ରାହାଡପୁର, ବିଛାଖଣ୍ଡି ଅଞ୍ଚଳର କଳପଥର ଖାଦାନ ଗୁଡିକରେ ପ୍ରତିଦିନ ପାହାଡ ଫଟାଯାଏ । ପ୍ରଶିକ୍ଷକ ବ୍ୟକ୍ତି ଏହି କାମ କରିଥାନ୍ତି । ମାତ୍ର ଧର୍ମଶାଳା ଓ ଜେନାପୁର ଅଞ୍ଚଳରେ ଏସବୁର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବିସ୍ଫୋରକକୁ କଳାପଥର ଖାଦାନରେ ମାଟି ତଳେ ପୋତି ରଖାଯାଉଛି । ତେବେ ଏତେ ପରିମାଣର ବିସ୍ଫୋରକ ଜିଲ୍ଳା ଭିତରକୁ ଆସୁଛି କିପରି ସେନେଇ ପୁଲିସ ଓ ପ୍ରଶାସନ ପାଖରେ ଖବର ନାହିଁ । ତେବେ ପ୍ରଶ୍ନ ଉଠୁଛି,

ପ୍ରଶ୍ନ-୧
ଲିଜ୍ ନେଉଥିବା ସଇରାତ ମାଲିକଙ୍କୁ ବ୍ଲାଷ୍ଟିଂର ଅନୁମତି ଦିଆଯାଇଛି କି ?
ପ୍ରଶ୍ନ-୨
ବିସ୍ଫୋରକ ସାମଗ୍ରୀ ମହଜୁଦ୍ ରଖିବା ପାଇଁ କାହାକୁ ଆଇନଗତ ଅନୁମତି ଦିଆଯାଇଛି କି ?
ପ୍ରଶ୍ନ-୩
ଧର୍ମଶାଳା ଓ ଜେନାପୁର ଅଞ୍ଚଳରେ ସ୍ୱୀକୃତିପ୍ରାପ୍ତ ମେଗର ବ୍ଲାଷ୍ଟର କିଏ ? ପ୍ରଶାସନ ତାଙ୍କୁ ଜାଣେ କି ?
ପ୍ରଶ୍ନ-୪
କଡା ସୁରକ୍ଷା ଭିତରେ ଏତେ ପରିମାଣର ବିସ୍ଫୋରକ ଜିଲ୍ଳାକୁ ଆସୁଛି କିପରି ?