କନକ ବ୍ୟୁରୋ: ଆଗରେ ଚାଲିଥିଲା ଲୁଗା ବେପାର, ଆଉ ତା’ ପଛରେ ହେଉଥିଲା ଅନୈତିକ କାର୍ଯ୍ୟ। ଦୋକାନକୁ ଗ୍ରାହକମାନଙ୍କ ଯିବାଆସିବା ଲାଗି ରହିଥିବା ବେଳେ କେହି ଏ କଥା ଜାଣି ପାରୁନଥିବା ଭାବି ମନେ ମନେ ନିଜ ମନ୍ଦବୁଦ୍ଧିକୁ ତାରିଫ କରୁଥିଲା ଦୋକାନୀଜଣକ। ହେଲେ ନୀତିହୀନ କାମ ସବୁଦିନ ତିଷ୍ଠି ରହିପାରେନି। ଏହିଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ରବିବାର ସଂଧ୍ୟାଠାରୁ ବାଲେଶ୍ବର ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯାହାର ଭିଡିଓ ଫୁଟେଜ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖାଯାଇଛି।

Advertisment

ରବିବାର ସଂଧ୍ୟାରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏକ ଲୁଗା ଦୋକାନୀଙ୍କୁ ଜଣେ ମହିଳା ଗଡ଼େଇ ତଡ଼େଇ ଜୋତାରେ ପିଟି ଚାଲିଥିଲେ। ଏହାପରେ ସେଠାରେ ଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକ ମଧ୍ୟ ଦୋକାନୀଙ୍କୁ ଚାପୁଡ଼ା, ବିଧା ଓ ଗୋଇଠା ମାରି ଚାଲିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଦୋକାନୀ ଅଧିକାଂଶ ସମୟରେ ଦୋକାନକୁ ଯୁବକଯୁବତୀ ଓ ବିବାହିତ ମହିଳାପୁରୁଷମାନେ ଆସୁଥିଲେ। ସେମାନେ ଦୋକାନରୁ କୌଣସି କପଡ଼ା କିମ୍ବା ଲୁଗା ନ କିଣି ଦୋକାନ ଭିତର ପଟେ ଥିବା ଘରେ ଅନୈତିକ କାମ କରୁଥିଲେ।

ଏହି ଘଟଣା ପ୍ରଚାରିତ ହେବାପରେ ଦୋକାନୀଙ୍କୁ ପଚରାଉଚୁରା କରିବା ସହିତ ଜଣେ ମହିଳା ତାଙ୍କୁ ଚପଲରେ ମାଡ଼ ମାରିବା ସହ ଅନ୍ୟ ଲୋକମାନେ ମାଡ଼ ମାରିଛନ୍ତି। ସେମାନଙ୍କ ମାଡ଼ରେ ଦୋକାନୀ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ତାଙ୍କ ମୁହଁରେ ପାଣି ଛିଞ୍ଚି ସେମାନେ ପୁଣି ମାଡ଼ ମାରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ସମ୍ପୂର୍ଣ୍ଣ ଘଟଣାକୁ ସେଠାରେ ଥିବା କେହିଜଣେ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଛନ୍ତି। ଏହା ଆଜି ଦିନତମାମ୍ ବାଲେଶ୍ବର ସହରରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଅନ୍ୟପଟେ ସହଦେବଖୁଣ୍ଟା ଥାନାରେ ଏନେଇ କୌଣସି ପକ୍ଷ ଅଭିଯୋଗ କରିନଥିବା ପୁଲିସ ସୂଚନା ଦେଇଛି।