କନକ ବ୍ୟୁରୋ : ମୁକୁଳା ଡ୍ରେନ୍ରେ ଭାସି ଜଣେ ଶିଶୁର ମୃତ୍ୟୁ ହେବା ପରେ ବିଏମ୍ସି ନିଦ ଭାଙ୍ଗିଛି। ସହରରେ ଥିବା ଡ୍ରେନ୍ ଉପରୁ ସମସ୍ତ ଜବରଦଖଲ ହଟାଇବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଆଜି ଡ୍ରେନ୍ ଉପରେ ଥିବା କ୍ୟାବିନ୍, ଠେଲାଗାଡ଼ି, ବେଆଇନ ନିର୍ମାଣ ପ୍ରଭୃତି ହଟାଇବା ପାଇଁ ନୋଟିସ୍ କରାଯାଇଛି । ବିଏମ୍ସିର ସମସ୍ତ ଜୋନ୍ରେ ପୁଲିସ ସହାୟତାରେ ଏହି ବ୍ୟବସାୟୀମାନଙ୍କୁ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ଜରିଆରେ ସଚେତନ କରାଯାଇଛି । ଦୁଇଦିନ ଭିତରେ ତୁରନ୍ତ ଦୋକାନ ହଟାଇ ନେବାକୁ ଚେତାବନୀ ଦିଆଯାଇଛି । ନଚେତ୍ ସେଗୁଡ଼ିକୁ ଉଚ୍ଛେଦ କରି ଦିଆଯିବ ବୋଲି କୁହାଯାଇଛି । ଜବରଦଖଲ ହଟିବା ପରେ ସମ୍ପୃକ୍ତ ଜୋନ୍ ଡେପୁଟି କମିସନରଙ୍କ ଜରିଆରେ ଏହି ସବୁ ଡ୍ରେନ୍ର ସ୍ଲାବ୍ ଯାଞ୍ଚ କରାଯିବ । ଯାଞ୍ଚ ପରେ ଏକ ରିପୋର୍ଟ ପ୍ରସ୍ତୁତ ହେବ । କେଉଁଠି ଦୁର୍ବଳ ଅଛି କିମ୍ବା କେଉଁଠି ନାହିଁ ସେଠାରେ ନୂଆ ପକାଯିବାକୁ ଯୋଜନା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରାଥମିକ ପର୍ୟ୍ୟାୟରେ ହୋଇଥିବା ଆକଳନ ମୁତାବକ, ୩ ହଜାରରୁ ଊର୍ଦ୍ଧ୍ବ ଦୋକାନ ବେଆଇନ ଭାବରେ ଡ୍ରେନ୍ ଉପରେ ତିଆରି ହୋଇଛି । କେତେକ କ୍ୟାବିନ୍ ପକାଇଥିବା ବେଳେ କେତେକ ଇଟା ସିମେଣ୍ଟରେ କାନ୍ଥ ତିଆରି କରି ଦେଇଛନ୍ତି । କେତେକ ବ୍ୟବସାୟୀ ଅସ୍ଥାୟୀ ଭାବରେ ବସି ବେପାର କରୁଛନ୍ତି । କରୋନା କାଳରେ ରୋଜଗାର ହରାଇଥିବା ଏହି ବ୍ୟବସାୟୀଙ୍କୁ ଉଚ୍ଛେଦ କଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ମଧ୍ୟ ରହିଛି। ଏବେ ନୋଟିସ୍ ପାଇବା ପରେ ପରେ କେତେକ ବ୍ୟବସାୟୀ ନେତାଙ୍କ ପାଖରେ ପହଞ୍ଚିଛନ୍ତି । ନେତା ମଧ୍ୟ ଆଶ୍ବାସନା ଦେଇଥିବାରୁ ଏ ସବୁକୁ ଉଚ୍ଛେଦ କରିବା ବିଏମ୍ସି ପାଇଁ କାଠିକର ପାଠ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏଣୁ ଏ ନେଇ ଆଜି ବରିଷ୍ଠ ଅଧିକାରୀମାନେ ଏକାଠି ହୋଇ ମାନସମନ୍ଥନ କରିଛନ୍ତି। କେବଳ ଏହି ଗୋଟିଏ ଅଡ଼ୁଆ ନୁହେଁ, ଆଉ ଏକ ଅଡ଼ୁଆ ବିଏମ୍ସିର ଅକଲ ଗୁଡ଼ୁମ୍ କରିଛି। ଯେଉଁ ଜାଗାରେ ଗତକାଲି ଅଘଟଣ ଘଟିଥିଲା ସେଠାରେ ଏକ କଲଭର୍ଟ ଓ ଗାର୍ଡ ୱାଲ ତିଆରି କରିବାକୁ ବିମ୍ସି ଯୋଜନା କରିଛି। ଏହି ଦୁଇଟି ପ୍ରକଳ୍ପ ନିର୍ମାଣ ହେଲେ ଆଉ ଅଘଟଣର ଆଶଙ୍କା ରହିବ ନାହିଁ ବୋଲି ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି । ହେଲେ ଯେଉଁ ଜାଗାରେ ଏହି ସବୁ ନିର୍ମାଣ ହେବ ତାହା ହେଉଛି ଘରୋଇ ଜମି। ଏହି ଘରୋଇ ଜମିକୁ ଅଧିଗ୍ରହଣ କରିବା ପରେ ଯାଇ ଏହି ପ୍ରକଳ୍ପ ସମ୍ଭବ ହେବ ବୋଲି ଜଣାପଡ଼ିଛି ।