ଜଗତସିଂହପୁର ବାଲିକୁଦା ଉପକୂଳରେ ବଢି ଚାଲିଛି ବେଆଇନ୍ ଚିଙ୍ଗୁଡି ଘେରି । ହେନ୍ତାଳ ବଣକୁ କାଟି ଜଙ୍ଗଲ ଜମିରେ ଘେରି କରୁଛନ୍ତି ମାଫିଆ

172

କନକ ବ୍ୟୁରୋ : ହଜାର ହଜାର ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି । ଲୁଚା ଛପାରେ ନୁହେଁ ବରଂ ରାଜସ୍ୱ ଅଧିକାରୀଙ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ସହଯୋଗରେ ବଡ଼ ବଡ଼ ମେସିନ୍ ଲଗାଇ ଘେରି ଖୋଳାଯାଉଛି । ଏମିତି କି ନଦୀ ଭିତରେ ଓ ବନ୍ଧ ନିକଟରେ କୋଷ୍ଟାଲ ରେଗୁଲେସନ ଜୋନ୍ (ସିଆର୍ଜେଡ୍) ନିୟମକୁ ଉଲଘଂନ କରି ଘେରି କରାଯାଇଛି । ଓଡ଼ିଶା ମେରାଇନ୍ ଫିସୋରିଜ୍ ଆକ୍ଟକୁ ମଧ୍ୟ ଖୋଲା ଉଲଘଂନ କରାଯାଇଛି । ଦାୟିତ୍ୱରେ ଥିବା ରାଜସ୍ୱ ଅଧିକାରୀ ସବୁ ଦେଖି ଆଖି ବୁଜି ଦେଉଛନ୍ତି । ଫଳରେ ଜୈବ ବିବିଧତା ଉପରେ ଏହା ବଡ଼ ପ୍ରଭାବ ପଡ଼ୁଥିବା ବେଳେ ଚାଷ, ବାସ, ପରିବେଶ ଉଜୁଡ଼ି ଯିବାକୁ ବସିଛି ।

ବାଲିକୁଦା ଓ ଏରସମା ତହସିଲ ଅଧୀନ ଥିବା ପ୍ରାୟ ସମସ୍ତ ଜଙ୍ଗଲ ଜମି ଏବେ ମାଫିଆଙ୍କ କବ୍ଜାରେ । ପ୍ରାୟ ୬୦ ଏକରରୁ ଅଧିକ ଜମିରେ ଚିଙ୍ଗୁଡି ଘେରି ଖୋଳୁଛନ୍ତି ମାଫିଆ । କୋଷ୍ଟାଲ ରେଗୁଲେସନ ଜୋନ୍ ଅର୍ଥାତ୍ ସିଆର୍ଜେଡ୍ ନିୟମ ଅନୁସାରେ ନଦୀ ପଠା, କିମ୍ବା ନଦୀ ବନ୍ଧ ଠାରୁ ୫ ଶହ ମିଟର ପର୍ଯ୍ୟନ୍ତ କୌଣସି ଚିଙ୍ଗୁଡ଼ି ଘେରି କରାଯାଇ ପାରିବ ନାହିଁ । ହେଲେ ଏଠାରେ ଉପକୂଳ ଆଇନକୁ ମୋଡି ମକଚି ଦେବା ସହ ଓଡ଼ିଶା ମେରାଇନ୍ ଫିସୋରିଜ୍ ଆକ୍ଟର ଖୋଲା ଉଲଘଂନ କରାଯାଉଛି । ନଦୀ ଭିତରେ ହେନ୍ତାଳ ବନକୁ ନଷ୍ଟ କରାଯାଉଛି । ଗଛ କାଟି ଘେରି ଖୋଳା ଯାଇଛି । ଫଳରେ ଜୈବ ବିବିଧତା ଉପରେ ବଡ଼ ପ୍ରଭାବ ପଡ଼ୁଛି, ଧାନ ଚାଷ ନଷ୍ଟ ହେଉଛି ।

ସେପଟେ ନଦୀ ପ୍ରବାହରେ ରୋକ୍ ଲାଗୁଛି, ଜଙ୍ଗଲ ଜମି ହଡ଼ପ ହେଉଛି, ଜୈ÷ବ ବିବିଧତା ନଷ୍ଟ ଦେଉଛି, ଏସବୁ ଜାଣି ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ରାଜସ୍ୱ ନୀରିକ୍ଷକ କି ଉପରିସ୍ତ ଅଧିକାରୀ । ବରଂ ସ୍ଥାନୀୟ ଲୋକେ ଅଭିଯୋଗ କଲେ ସେମାନଙ୍କୁ ଧମକ ଚମକ ଦିଆଯାଉଛି ।

ବରମୁଣ୍ଡଳୀ ରାଜସ୍ୱ ନୀରିକ୍ଷକ ସୁଶାନ୍ତ ସ୍ୱାଇଁ ବେଆଇନ ଭାବେ ପାଉତି କାଟୁଛନ୍ତି । ତେଣୁ ମାଫିଆମାନେ ଜଙ୍ଗଲ ଜମିକୁ ମାଡି ବସିଥିବା ଲୋକେ ଅଭିଯୋଗ କରୁଛନ୍ତି । ୨୦୧୯ ମସିହାରେ ତତ୍କାଳୀନ ତହସିଲଦାର କିଛି ଅଂଚଳ ପରିଦର୍ଶନ କରି ନୋଟିସ୍ କରିଥିଲେ । କିନ୍ତୁ ନାଲି ନୋଟ୍ ଫାଇଲ୍କୁ ଉଠିବାକୁ ଦେଲା ନାହିଁ । ଆଉ ଗୋଟିଏ କଥା ହେଉଛି ଏଠାରେ ରାଜସ୍ୱ ବିଭାଗ ଜଙ୍ଗଲ ବିଭାଗକୁ ଆଜି ପର୍ଯ୍ୟନ୍ତ ଜମି ହସ୍ତାନ୍ତର କରୁନାହିଁ । ଯାହା ଏକ ବଡ଼ ସମସ୍ୟା ।