କନକ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରେ ମାଫିଆ ରାଜ । ପ୍ରଶାସନର ଆଖି ଆଢୁଆଳରେ ଲୁଟ ହେଉଛି ବାଲି । ବାଲି ଉତୋଳନ ଯୋଗୁଁ ନଦୀ କୁଳ ଖାଉଥିବାରୁ ବିପଦରେ ନଦୀ କୁଳିଆ ଗାଁ । ଗାଁ ରାସ୍ତାରେ ଦୃତ ଗତିରେ ବାଲି ବୋଝେଇ ଗାଡି ଯାତାୟତ କରୁଥିବାରୁ ଘଟୁଛି ଦୁର୍ଘଟଣା । ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧ ।

Advertisment

ବେଆଇନ୍ ବାଲି ଚାଲାଣ ବିରୋଧରେ ତାତିଲେ । ଟାୟାର ଜାଳି, ଗାନ୍ଧୀ ଫଟୋଚିତ୍ର ରଖି ପ୍ରତିବାଦ କଲେ ମହିଳା । କିଛି ଏଭଳି ଦୃଶ୍ୟ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ କମର୍ଦା ରାସ୍ତାର ଛୋଟଖାନପୁରରୁ । ସ୍ଥାନୀୟ ମହିଳାଙ୍କ ଅଭିଯୋଗ ହେଲା ଯେ, ସୁବର୍ଣ୍ଣରେଖା ନଦୀର ଛୋଟଖାନପୁର, ବଡଖାନପୁର, ବଡ ବଢାପାଢ, କଂଟାପାଳ ଅଂଚଳରୁ ବେଆଇନ ଭାବେ ବାଲି ଉତୋଳନ କରି ବାଲି ମାଫିଆ ମାନେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି । ଯାହା ଫଳରେ ନଦୀର କୁଳ ଖାଇ ନଦୀ ଗାଁ ମୁହାଁ ହେଉଛି । ଏପରିକି ଗାଁ ରାସ୍ତାରେ ପ୍ରତ୍ୟେକ ଦିନ ଶହଶହ ବାଲି ଗାଡି ଯାତାୟତ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ପ୍ରତିବାଦ କରିବାରୁ ମାଫିଆମାନେ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି ।

୧୯୮୫ ମସିହାରେ ସୁବର୍ଣ୍ଣରେଖା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଛଟଖାନପୁର ଗ୍ରାମଟି ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିଲା । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇତିଲା । ପରବର୍ତି ସମୟରେ ଆସିଥିବା ବନ୍ୟାରେ ଅନେକ ଚାଷ ଜମି ନଦୀ ଗର୍ଭରେ ଲିନ ହୋଇଯାଇଛି । ଏପରି ସ୍ଥିତିରେ ଯଦି ବାଲି ଉତୋଳନ ବନ୍ଦ କରାନଯାଏ, ତାହାହେଲେ ନଦୀ ପାଶ୍ୱର୍ରେ ଥିବା ଗାଁମାନଙ୍କ ପ୍ରତି ବିରାଟ ବିପଦ ଆସିବାର ସମ୍ଭାବନା ରହିଛି । ତେଣୁ ବାଲି ଉତୋଳନ ବନ୍ଦ କରିବା ସହିତ କଂଟାପାଳ ପୋଲ ଠାରୁ ବଡଖାନପୁର ପର୍ଯ୍ୟନ୍ତ ନଦୀବନ୍ଧରେ ପଥର ପ୍ୟାକିଂ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଜିଲ୍ଲାପାଳ ଏବଂ ଖଣିଜ ସମ୍ପଦ ବିଭାଗ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାଲିଆପାଳ ଅତିରିକ୍ତ ତହସିଲଦାର ।

ଯଦି ବେଆଇନ ବାଲି ଉତୋଳନ ବନ୍ଦ କରାନଯାଏ, ତାହାହେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।