ସୁବର୍ଣ୍ଣପୁରରେ ଚାଲିଛି ବେଆଇନ୍ ବାଲିଚାଲାଣ । ବିନା ଟେଣ୍ଡରରେ ମହାନଦୀ ପଠାରୁ ଲୁଟ୍ ହେଉଛି ଶହ ଶହ ଟ୍ରକ ବାଲି, ସବୁ ଦେଖି ଜିଲ୍ଲା ପ୍ରଶାସନ ଚୁପ୍ ରହିଥିବା ଅଭିଯୋଗ ।

79

କନକ ବ୍ୟୁରୋ : ସୁବର୍ଣ୍ଣପୁରରେ ଚାଲିଛି ଖୁଲମଖୁଲା ବାଲି ଚୋରାଚାଲାଣ । ଦିନ ଦ୍ୱିପହରରେ ମହାନଦୀ ପଠାରୁ ମାଫିଆ ଲୁଟି ନେଉଛନ୍ତି ଟ୍ରକ ଟ୍ରକ୍ ବାଲି । ସବୁ ଚାଲାଣ ହେଉଛି ବାହାର ଜିଲ୍ଲାକୁ । ସବୁକିଛି ଦିନରେ ଚାଲିଥିଲେ ମଧ୍ୟ ବୀରମହାରାଜପୁର ତହସିଲଦାର ଏହାକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ଆସିଛି ।

ମହାନଦୀ ପଠାରେ ଲାଗିଛି ଜେସିବି । ଭର୍ତ୍ତି ଚାଲିଛି ଟ୍ରକ ଟ୍ରକ ବାଲି । ଏମିତି ପ୍ରତିଦିନ ଶହ ଶହ ଟ୍ରକ ବାଲି ଚୋରାଚାଲାଣ ହେଉଛି ବାହାର ଜିଲ୍ଲାକୁ । ବୀରମହାରାଜପୁର ନିକଟ ମହାନଦୀ ପଠାରୁ ମାଫିଆ ବାଲିକୁ ଚାଲାଣ କରୁଛନ୍ତି ଅନୁଗୁଳ, ସମ୍ବଲପୁର ତଥା ବୌଦ୍ଧ ଜିଲ୍ଲାକୁ । ସବୁକିଛି ଚାଲିଛି ବିନା ଟେଣ୍ଡରରେ । ମାଫିଆ ଏହିପରି ବାଲି ଚୋରାଚାଲାଣ କରି ମାଲାମାଲ୍ ହେଉଥିବା ବେଳେ ପ୍ରଶାସନ ଏଥିରେ ରୋକ୍ ଲଗାଇବାରେ ବିଫଳ ହୋଇଥିବା ଅଭିଯୋଗ ଆସିଛି ।

ବୀରମହାରାଜପୁର ତହସିଲ ଅଞ୍ଚଳରେ ଥିବା ଦୁରଦୁରାର ୨ଟି ବାଲିଘାଟ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ୫ ଜଣ ଭାଗ ନେଇଥିଲେ । ଏହା ଉପରେ ହାଇକୋର୍ଟଙ୍କ ରହିତାଦେଶ ଥିବା ବେଳେ ଦିନ ଦ୍ୱିପହରରେ କିପରି ବାଲି ଚୋରାଚାଲାଣ ଚାଲିଛି ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ । ତୁରନ୍ତ ସମାଧାନ ରାସ୍ତା ବାହାର କରି ବାଲି ଚୋରାଚାଲଣ ବନ୍ଦ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବିନା ଟେଣ୍ଡରରେ ଏପରି ବାଲି ଚୋରାଚାଲାଣକୁ ନେଇ ସ୍ଥାନୀୟ ତହସିଲଦାରଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।