କନକ ବ୍ୟୁରୋ: ଖଲ୍ଲିକୋଟ ରାସ୍ତାକଡ଼ରେ ଖୁଲମଖୁଲା ତିଆରି ହେଉଛି ମଦ, ବେଧଡକ ବିକ୍ରି ଚାଲିଛି । ସବୁ ଦେଖି ନିରବ ପୋଲିସ, ନିରବ ଅବକାରୀ ବିଭାଗ । ରାସ୍ତାକଡ଼ ପାଲଟିଛି ମଦ ମାଫିଆଙ୍କ ଆଡାସ୍ଥଳ । ଚିକିଟିରେ ବିଷାକ୍ତ ମଦ ପିଇ ୨୦ ଜଣ ଗୁରୁତର ଓ ଦୁଇ ଜଣକ ମୃତ୍ୟୁ ପରେ ଖଲ୍ଲିକୋଟରେ ଚୋରା ଦେଶୀ ମଦ ଭାଟି ବନ୍ଦ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି । ବେଆଇନ ମଦ କାରବାରର ଭୂସ୍ୱର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଂଚଳ । ବାଦପଲ୍ଲୀ, ଡିମିରିଆ, ବାଣିଆ ଓ ଚିକିଲି ପଂଚାୟତରେ ନିୟମିତ ରନ୍ଧା ହେଉଛି ବେଆଇନ ଦେଶୀ ମଦ ।

Advertisment

ଏହି ପଂଚାୟତରେ ବସବାସ କରୁଥିବା ଆଦିବାସୀ ଚୋରା ଦେଶୀ ମଦ ବ୍ୟବସାୟ କରିଥାଆନ୍ତି । ତେବେ ଏହା କୌଣସି ଉପାନ୍ତ କି ପାହାଡିଆ ଅଂଚଳର ନୁହେଁ । ଖୁଲମ ଖୁଲା ରାସ୍ତା କଡାରେ ବିକ୍ରି ହେଉଛି ମଦ । ନିର୍ମଳଝରଠାରୁ ୧୬ ନଂ ଜତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦିନ ରାତି ହୁଏ ଦେଶୀମଦ ବ୍ୟବସାୟ। ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗାକୁ ପଠାଇଥାଆନ୍ତି । ସେହି ରାସ୍ତା ଦେଇ ପୋଲିସ, ଅବକାରୀ ବିଭାଗ ଓ ଜିଲ୍ଲା ପ୍ରସାଶନ ଅଧିକାରୀ ଯିବା ଆସିବା କରୁଥିବା ବେଳେ ନିରବ ଦ୍ରଷ୍ଟା ସାଜିଛନ୍ତି । ସେପଟେ ସରକାରଙ୍କ ରାଜସ୍ୱ ହାନୀ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ନାମକୁ ମାତ୍ର କିଛି ନିରିହ ଲୋକଙ୍କୁ ଧରି କୋର୍ଟ ଚାଲଣ କରୁଛି ।

କିନ୍ତୁ ମଦ ବ୍ୟବସାୟ କରୁଥିବା ଲୋକଙ୍କୁ ଧରିବାରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲା ଅବକାରୀ ବିଭାଗର ସୂଚନା ଅନୁଯାୟୀ ୨୦୨୩ରେ ୪୩୨ଟି ମାମଲା ରୁଜୁ ହୋଇଛି । ୩୯୬ ଜଣଙ୍କୁ ଗିରଫ କରାଯାଇଛି । ତେବେ ଅବକାରୀ ବିଭାଗ କେବଳ ମଦ ପରିବହନ ବେଳେ ଚଢାଉ କରୁଛି । ହେଲେ ମଦ ଭାଟିରେ ଚଢାଉ କରି ଭାଟି ବନ୍ଦ କରିବାକୁ ଦାବି ହୋଇଛି ।