ବର କହୁଛି, ମୁଁ ବାହାହେବି କେଉଁଠି ? ମଣ୍ଡପ ବୁକ୍ କରିଥିଲେ, କିନ୍ତୁ ଏବେ ବିଏମସି ସିଲ୍ କରିଦେବ ମଣ୍ଡପ, ବାହାଘରକୁ ନେଇ ଆଶା ଆଶଙ୍କାରେ ରାଜଧାନୀବାସୀ ।

787

କନକ ବ୍ୟୁରୋ : ଡେଡଲାଇନ୍ ସରିଗଲା । ଏଥର ସିଲ୍ ହେବ କଲ୍ୟାଣ ମଣ୍ଡପ । ରାଜଧାନୀରେ ଥିବା ବେଆଇନ୍ କଲ୍ୟାଣ ମଣ୍ଡପ ଗୁଡିକୁ ସିଲ୍ କରିବା ପାଇଁ ଅଂଟା ଭିଡିଛି ବିଏମସି । ଫେବୃଆରୀ ପ୍ରଥମ ସପ୍ତାହରୁ ପର୍ଯ୍ୟାୟ କ୍ରମେ ଏହି ପ୍ରକ୍ରିୟା ଚାଲିବ । ପାର୍କିଂ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ କମର୍ସିଆଲ ବିଲଡିଂ ପ୍ଲାନ, ଲାଇସେନ୍ସ ଏବଂ ହୋଲଡିଂ ଟ୍ୟାକ୍ସକୁ ଗୁରୁତ୍ୱ ଦେଇ କଲ୍ୟାଣ ମଣ୍ଡପ ଗୁଡିକୁ ଜାନୁଆରୀ ୩୧ ସୁଦ୍ଧା କାଗଜପତ୍ର ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା । ଅନ୍ୟପଟେ ମଣ୍ଡପ ସିଲ୍ ଖବର ସାମ୍ନାକୁ ଆସିବା ପରେ ଚିନ୍ତାରେ ପଡିଛନ୍ତି ମଣ୍ଡପ ବୁକ୍ କରିଥିବା ପରିବାର ।

ନାଁ – ସୌମେନ୍ଦ୍ର ବରାଳ । ଘର- ବଡଗଡ ବ୍ରିଟ୍ କଲୋନୀ, ଭୁବନେଶ୍ୱର । ଆସନ୍ତା ଫେବୃଆରୀ ୧୮ ତାରିଖରେ ସୌମେନ୍ଦ୍ରଙ୍କ ବାହାଘର । ୨୩ରେ ହେବ ରିସେପସନ୍ । ଏଥିପାଇଁ ସେ ରାଜଧାନୀର ଏକ କଲ୍ୟାଣ ମଣ୍ଡପ ବୁକ୍ କରିଥିଲେ । ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀଙ୍କୁ ନେଇ ଆଡମ୍ବରରେ ରିସେପସନ୍ କରିବାକୁ ସବୁ ପ୍ରକାରର ଆୟୋଜନ ମଧ୍ୟ ହୋଇଛି । ହେଲେ ଏବେ ସେ ଆଶା ଆଶଙ୍କାରେ । ଆଉ ଏହି ଆଶଙ୍କା ପଛରେ ରହିଛି, ବିଏମସିର ବେଆଇନ୍ କଲ୍ୟାଣ ମଣ୍ଡପ ସିଲ୍ ନିଷ୍ପତି ।

ସରିଲା ଡେଡଲାଇନ୍ । ସିଲ୍ ହେବ ବେଆଇନ୍ କଲ୍ୟାଣ ମଣ୍ଡପ । ରାଜଧାନୀ ଭୁବନେଶ୍ୱରର ସମସ୍ତ ବେଆଇନ୍ କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ନିଷ୍ପତି ନେଇଛି ବିଏମସି । ଜାନୁଆରୀ ୩୧ ସୁଦ୍ଧା ସମସ୍ତ କଲ୍ୟାଣ ମଣ୍ଡପକୁ ନିଜ ନିଜର ବୈଧ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଶେଷ କରି କଲ୍ୟାଣ ମଣ୍ଡପରେ ପାର୍କିଂ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି କି ନାହିଁ ଏବଂ ମଣ୍ଡପ ଗୁଡିକ କମର୍ସିଆଲ ବିଲଡିଂ ପ୍ଲାନ, ଲାଇସେନ୍ସ ଏବଂ ହୋଲଡିଂ ଟ୍ୟାକ୍ସ ଦେଇଛନ୍ତି କି ନାହିଁ ସେନେଇ ତନାଘନା କରାଯାଉଛି । ସମସ୍ତ ମାପଦଣ୍ଡ ପୂରଣ କରିନଥିବା କଲ୍ୟାଣ ମଣ୍ଡପ ଗୁଡିକୁ ପର୍ଯ୍ୟାୟ କ୍ରମେ ସିଲ୍ କରାଯିବ ବୋଲି ବିଏମସି କହିଛି ।

ସୌମେନ୍ଦ୍ରଙ୍କ ଭଳି ରାଜଧାନୀର ଅନେକ ଯୁବକ-ଯୁବତୀ ଏବେ ସେମାନଙ୍କ ବିବାହକୁ ନେଇ ଆଶା ଆଶଙ୍କାରେ ଅଛନ୍ତି । ମାସ ମାସ ଆଗରୁ ସେମାନେ କଲ୍ୟାଣ ମଣ୍ଡପ ବୁକ୍ କରିଥିବା ବେଳେ ସେଗୁଡିକ ବେଆଇନ୍ ନା ବୈଧ, ସେନେଇ ସେମାନେ ସନ୍ଦିହାନ ।