ମଣ୍ଡପରେ ବିଏମସି ଓ ବିଡିଏର ତାଲା, ହେଲେ ବଡ ବଡ ବଡ ହୋଟେଲ ଓ ମଲକୁ ମାଫ୍ । ମଣ୍ଡପ ମାଲିକଙ୍କ ବିରୋଧ, ବିବାହ ରୁତୁରେ ହନ୍ତସନ୍ତ ହେଉଛନ୍ତି ଲୋକେ ।

78

କନକ ବ୍ୟୁରୋ : କଲ୍ୟାଣ ମଣ୍ଡପ ଗୁଡିକ ଉପରେ ଏବେ ବିଏମସି ଅଧିକାରୀ ଘନ ଘନ ରେଡ୍ କରୁଛନ୍ତି । ସିଧା ମଣ୍ଡପରେ ପହଞ୍ଚି ସିଲ୍ କରିଦେଉଛନ୍ତି । ପାର୍କିଂ ବ୍ୟବସ୍ଥା ନାହିଁ, ହୋଲଡିଂ ଟ୍ୟାକ୍ସ ଦେଉନାହାନ୍ତି, ଏଭଳି ଅଭିଯୋଗରେ ସିଧା ମଣ୍ଡପକୁ ବନ୍ଦ କରିଦିଆଯାଉଛି । ହଠାତ୍ ପ୍ରଶାସନର ଏଭଳି କଠୋର ଆଭିମୁଖ୍ୟ ଦେଖି ମଣ୍ଡପ ମାଲିକ ମାନେ ହଡବଡେଇ ଗଲେଣି । ଆଜି ମଧ୍ୟ ବିଭିନ୍ନ ମଣ୍ଡପ ସିଲ୍ କରିବା ପାଇଁ ପହଞ୍ଚିଯାଇଥିଲେ ବିଏମସି ଟିମ୍ ।

ବିବାହ ପାଇଁ କଲ୍ୟାଣ ମଣ୍ଡପରେ ସଜା ହୋଇଛି ବେଦୀ । ଟେଣ୍ଡ କାମ ବନ୍ଧା ବି ଚାଲିଛି । ହେଲେ, ବାହାରୁ ଏହି ମଣ୍ଡପକୁ ସିଲ କରିଛି ପ୍ରଶାସନ । ଏ ହେଉଛି ଏୟାର ଫିଲଡ ଅଂଚଳରେ ଥିବା ସୋମନାଥ କଲ୍ୟାଣ ମଣ୍ଡପର ଚିତ୍ର । ବିଏମସି ଓ ବିଡିଏର ଗାଇଡଲାଇନକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଏହାକୁ ସିଲ୍ କରାଯାଇଛି ।

ମଣ୍ଡପରେ ତାଲା, ହେଲେ ବଡ ବଡ ବଡ ହୋଟେଲ ଓ ମଲକୁ ମାଫ୍ । ଏୟାରଫିଲ୍ଡ ପୋଲିସ, ଏସିପି, ଅମିନ, ଆରଆଇଙ୍କ ସହ ସଦଳବଳ ସୋମନାଥ ମଣ୍ଡପକୁ ସିଲ୍ କରିବାକୁ ପହଞ୍ଚିଥିଲେ ବିଏମସି ଅଧିକାରୀ । ହେଲେ କଲ୍ୟାଣ ମଣ୍ଡପ ମାଲିକ ଓ ତାଙ୍କ ସମର୍ଥକ କଲ୍ୟାଣ ମଣ୍ଡପ ସିଲକୁ ତୀବ୍ର ବିରୋଧ କରିଥିଲେ । କିନ୍ତୁ ବଡ ବଡ ହୋଟେଲ ଓ ମଲକୁ କାହିଁକି ଛଡା ଯାଉଛି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ।

ମୁଖ୍ୟତଃ ପାର୍କିଂ ସୁବିଧା ନଥିବା ଦର୍ଶାଇ ମଣ୍ଡପ ସିଲ କରୁଛି ପ୍ରଶାସନ । ତା ସହ ବିନା ବିଲଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ଟ୍ରେଡ ଲାଇସେନ୍ସ ନଥାଇ ବ୍ୟବସାୟ, ହୋଲଡିଂ ଟିକସ ଫାଙ୍କି ଆଦି ଅଭିଯୋଗ ବି ଲଗାଯାଉଛି ।

ହଠାତ ମଣ୍ଡପ ଗୁଡିକ ଉପରେ ସରକାର କାହିଁକି ଏତେ କଠୋର ହୋଇ ଉଠିଛନ୍ତି ତାହା କେହି ବୁଝି ପାରୁନାହାନ୍ତି । ଯିଏ ଟିକେ ବ୍ୟବସାୟ କରି ଅଂଟା ସଳଖିବାକୁ ଚେଷ୍ଟା କରୁଛି ତା ଅଂଟା ଭାଙ୍ଗିବାକୁ ବଡ ବଡ ଜେସିବି ମେସିନ ସହ ଅଫିସରମାନେ ପହଞ୍ଚି ଯାଉଛନ୍ତି । ଆଉ କହୁଛନ୍ତି ପ୍ଲାନ ଅନୁମୋଦନ ନାହିଁ, ଟ୍ରେଡ ଲାଇସେନ୍ସ ନାହିଁ ଏବଂ ହୋଲ୍ଡିଂ ଟିକସ ଦେଉନ । ଏମିତି କହି ତାଲା ବନ୍ଦ କରି ଦେଉଛନ୍ତି ।