ସରକାରୀ ଜାଗାରେ ସବୁଜ ଜହର । ଆଖି ବୁଜି ଦେଇଛି ପ୍ରଶାସନ, ମାଲାମାଲ ହେଉଛନ୍ତି ମାଫିଆ ।

542

କନକ ବ୍ୟୁରୋ : ସ୍ୱଳ୍ପ ଅର୍ଥ ଏବଂ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗୁଁ ଏବେ କର୍କଟ ରୋଗ ଭଳି ବଢିଚାଲିଛି ବେଆଇନ ଗଞ୍ଜେଇ ଚାଷ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ଥିବା ଶହ ଶହ ହେକ୍ଟର ସରକାରୀ ଜମିରେ ଅବାଧରେ ଚାଲିଛି ଗଞ୍ଜେଇ ଚାଷ । ମୋଟା ଅଙ୍କର ହାତଗୁଞ୍ଜା ନେଇ ବିଭାଗୀୟ କର୍ମଚାରୀ ନିଦାବିଷ୍ଣୁ ସାଜିଥିବା ବେଳେ ମାଲାମାଲ ହେଉଛନ୍ତି ଗଞ୍ଜେଇ ମାଫିଆ । ତେବେ କିଭଳି ଚାଲିଛି ଗଞ୍ଜେଇ ଚାଷ ? ଏହା ଜାଣିବା ପାଇଁ ଆମ ଟିମ୍ ପହଞ୍ଚିଥିଲା ଗଞ୍ଜେଇ ଚାଷ ଜମିରେ, ଆଉ ସବୁଜ ଜହର ଚାଷ ପଛର ସତ ଜାଣିବା ପାଇଁ ଚେଷ୍ଟା କରିଥିଲେ ଆମ ପ୍ରତିନିଧି ।

ଏକର ଏକର ଜମିରେ ବଢିଛି ଗଞ୍ଜେଇ ଗଛ । ସରକାରୀ ଜାଗାରେ ସବୁଜ ଜହର ଚାଷ । ବୌଦ୍ଧ ଜିଲ୍ଲା ସଦର ବ୍ଲକର ଗୁନ୍ଦୁଳିଆ, ଆମ୍ବଝିରୀ, ବଘିଆପଡା, ଟିକରପଡା ପଞ୍ଚାୟତ ଆଭ୍ୟନ୍ତରୀଣ ଅଞ୍ଚଳର । ଖାଲି ବୌଦ୍ଧ ବ୍ଲକ ନୁହେଁ କଣ୍ଟାମାଳ ବ୍ଲକରେ ମଧ୍ୟ ବର୍ଷ ବର୍ଷ ଧରି ବ୍ୟାପକ ଗଞ୍ଜେଇ ଚାଷ କରାଯାଉଛି । ସବୁଠାରୁ ଆଶ୍ଚଯ୍ୟକର କଥା ହେଉଛି, ଅବକାରୀ ବିଭାଗ ଠାରୁ ଆରମ୍ଭ କରି, ବନବିଭାଗ, ରାଜସ୍ୱ ବିଭାଗର ଜ୍ଞାତସାରରେ ଚାଲିଛି ଏହି ଗଞ୍ଜେଇ ଚାଷ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବିଭାଗୀୟ କର୍ମଚାରୀ ମାନେ ମୋଟା ଅଙ୍କର ହାତଗୁଂଜା ନେଇ ସବୁ ଦେଖି ଆଖିବୁଝି ଦେଇଛନ୍ତି ।

ବୌଦ୍ଧରେ ବାହାର ରାଜ୍ୟର ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ବିହନ ଠାରୁ ଆରମ୍ଭ କରି ଚାଷ ପାଇଁ ସବୁ ପ୍ରକାର ଆନୁସାଙ୍ଗିକ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଏମିତି କି ପାରିଶ୍ରାମିକ ଦେଇ ସ୍ଥାନୀୟ ଲୋକଙ୍କୁ ଏହି ବିଷ ଚାଷରେ ନିୟୋଜିତ କରୁଛନ୍ତି । ଆଉ ଏମାନଙ୍କ ଦ୍ୱାରା ଗଞ୍ଜେଇ ଚାଷ କରାଇ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି ମାଫିଆ । ବୌଦ୍ଧର ଗଞ୍ଜେଇ ଚାଷକୁ ବୁଦ୍ଧିଜୀବିମାନେ ତୀବ୍ର ନିନ୍ଦା କରିବା ସହ ଏହାର ମୂଳୋତ୍ପାଟନ ପାଇଁ ଦାବି କରିଛନ୍ତି । ସେପଟେ ଏନେଇ ଅବକାରୀ ବିଭାଗ ଅଧିକ୍ଷକଙ୍କ ପ୍ରତିତ୍କ୍ରିୟା ମଳିିପାରିନଥିବା ବେଳେ ବନଖଣ୍ଡ ଅଧିକାରୀ କହିଛନ୍ତି ଏ ବାବଦରେ ଆମେ ସମସ୍ତ କର୍ମଚାରୀଙ୍କୁ ଅବଗତ କରିଛୁ । ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହେଉଥିବା ନେଇ ଖବର ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାର ଗଞ୍ଜେଇ ଚାଷକୁ ବେଆଇନ ଘୋଷଣା କରିଥିବା ବେଳେ ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ ଏହା ଏକ ସାଧାରଣ ଚାଷ ଭାବେ ଉଭା ହୋଇଛି ।