କନକ ବ୍ୟୁରୋ : ବେଆଇନ ଗର୍ଭପାତ ଅଭିଯୋଗରେ ପୋଲିସର ଚଢଉ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆନନ୍ଦ ଭବନ ହସ୍ପିଟାଲରେ ଚଢ଼ଉ କରିଛି ପୋଲିସ । ହସ୍ପିଟାଲର ମାଲିକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ହସ୍ପିଟାଲରେ କନ୍ୟା ଭୃଣ ଚିହ୍ନଟ କରି ଗର୍ଭପାତ କରାଯାଉଥିବା ନେଇ ଅଭିଯୋଗ ଆସିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ସିଡିଏମଓଙ୍କ ନେତୃତ୍ୱର ଏକ ଟିମ ଗଠନ କରିବା ସହ ଏନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ପୋଲିସ ହସ୍ପିଟାଲରେ ଚଢଉ କରି ୬ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଗିରଫ କରିଛି ।
ଖବର ମିଳିବା ପରେ, ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ଉ କରାଯାଇଥିଲା। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶକ୍ତିପ୍ରସାଦ ମିଶ୍ର ଏକ ଟିମ୍ ଗଠନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଶେଷଜ୍ଞ ଅରବିନ୍ଦ ମହାପାତ୍ର, ଲିଗାଲ୍ ଆଫାୟାର୍ସ ସହକାରୀ ମ୍ୟାନେଜର ଜୟକୃଷ୍ଣ ସାହୁ ପ୍ରମୁଖଙ୍କୁ ଉକ୍ତ କ୍ଲିନିକ୍କୁ ପଠାଯାଇଥିଲା । ନୟାଗଡ଼ ତହସିଲଦାର ଭିକାରି ସାହୁଙ୍କ ଉପସ୍ଥିତିରେ ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି ଓ ତାଙ୍କ ଟିମ୍ ଉକ୍ତ କ୍ଲିନିକ୍ରେ ଚଢ଼ଉ କରିଥିଲେ । ଗର୍ଭପାତ ପରେ ମହିଳା ଚିକିତ୍ସାଧୀନ ଥିବାରୁ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ମହିଳା ଜଣକ ପ୍ରାୟ ୪ ମାସର ଗର୍ଭବତୀ ଥିଲେ। ତେବେ ତାଙ୍କ ପେଟରେ ବଢ଼ୁଥିବା ପିଲାର ସ୍ବାସ୍ଥ୍ୟ ବିଷୟରେ ଜାଣିବାକୁ ସେ ନୟାଗଡ଼ର ସନ୍ ଆପୋଲୋ କ୍ଲିନିକ୍ରେ ଗର୍ଭ ପରୀକ୍ଷା କରାଇଥିଲେ । ତଦନ୍ତ ସମୟରେ ମହିଳାଙ୍କ ପକ୍ଷରୁ ଉକ୍ତ ରିପୋର୍ଟ ଦେଖାଯାଇଥିବା ଡ. ମହାପାତ୍ର କହିଛନ୍ତି । ସେଥିରୁ ମହିଳାଙ୍କ ଗର୍ଭରେ ଥିବା ଭ୍ରୂଣ ପୁଅ କି ଝିଅ ଜାଣିବା ଏହି ସମୟରେ ଅସମ୍ଭବ । କିନ୍ତୁ ଗର୍ଭରେ ବଢ଼ୁଥିବା ପିଲାଟି ‘ସ୍କେଲିଡାଲ୍ ଡିସ୍ପ୍ଲାସିଆ’ ରୋଗ ଅର୍ଥାତ୍ ବାମନ ହେବାର ଆଶଙ୍କା ରହିଥିଲା । ସେହି ଦୃଷ୍ଟିରୁ ଉକ୍ତ ଦମ୍ପତି ଗର୍ଭପାତ କରାଇବାକୁ ଚାହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କିନ୍ତୁ, ଏଭଳି ଗର୍ଭପାତ ଆଇନସମ୍ମତ ଭାବେ କରାଇବାର ଆବଶ୍ୟକତା ରହିଥିଲା ବୋଲି ସେ କହିଛନ୍ତି । ନୟାଗଡ଼ ଜିଲ୍ଲା ଏସପି ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।