ଦୌଡରାଣୀ ପିଟି ଊଷାଙ୍କ ଏକାଡେମୀ ଉପରେ କବଜା । କହିଲେ, ‘ସାଂସଦ ହେବା ପରେ ମୋତେ ଟାର୍ଗେଟ୍ କରାଯାଉଛି’

1,085

କନକ ବ୍ୟୁରୋ: କେରଳ କୋଝିକୋଡିରେ ଥିବା ‘ଊଷା ସ୍କୁଲ ଅଫ୍ ଏଥଲେଟିକ୍ସ’ର ଜମି ଉପରେ ଅବୈଧ ନିର୍ମାଣ ହେବାକୁ ନେଇ ଅଭିଯୋଗ ଆଣିଛନ୍ତି ଦୌଡରାଣୀ ପିଟି ଊଷା । ଭାରତର ଉଡନ୍ତା ପରୀ କୁହାଯାଉଥିବା ପିଟି ଊଷା ଏ ଘଟଣାକୁ ନେଇ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସେଥିରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ତାଙ୍କୁ ରାଜ୍ୟସଭା ସାଂସଦ କରାଯିବା ପରେ ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଉଛି, ହଇରାଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପିଟି ଊଷା । ବିନା କୌଣସି କାରଣରେ ତାଙ୍କର କ୍ରୀଡା ଏକାଡେମୀ ସ୍ଥାନରେ ଅନଧିକାର ପ୍ରବେଶ କରି ନିର୍ମାଣ କାର୍ଯ୍ୟ କରାଯାଉଛି । ଫଳରେ ସେଠାରେ ଥିବା ଖେଳାଳି ତଥା ଝିଅମାନଙ୍କର ସୁରକ୍ଷା ଏବେ ବିପଦରେ । ଏନେଇ ସ୍ଥାନୀୟ ପ୍ରଶାସନ ସବୁ ଜାଣିଥିଲେ ବି କେହି କିଛି ପଦକ୍ଷେପ ନେବାକୁ ନାରାଜ । ତେଣୁ ଏହି ଘଟଣାରେ ଖୋଦ୍ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସେ ସାମ୍ବାଦିକ ସମ୍ମିଳନୀରେ ଅପିଲ କରିଛନ୍ତି । ଏନେଇ ସେ ପୁଲିସରେ ମଧ୍ୟ ମାମଲା ଦାଏର କରିଛନ୍ତି ବୋଲି କହିଛନ୍ତି ।