ଭାରତରେ ବେଆଇନ ଘୋଷିତ ଔଷଧର ବିଦେଶକୁ ହେଉଥିଲା ଚୋରାଚାଲାଣ, ୧୨ କୋଟି ମୂଲ୍ୟର ବେଆଇନ ଔଷଧ ଜବତ କଲା ଏନସିବି । ୪ ଗିରଫ ।

170

କନକ ବ୍ୟୁରୋ : ନ୍ୟାସନାଲ୍ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ଏକ ଟିମ୍ ଉତ୍ତରପ୍ରଦେଶର ଆଗ୍ରାରୁ ବ୍ୟବହାର ନିଷେଧ ହୋଇଥିବା ଔଷଧର ବେଆଇନ କାରବାର କରୁଥିବା ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨ କୋଟି ଟଙ୍କା ମୂଲ୍ୟର ବ୍ୟବହାର ଅନୁପଯୋଗୀ ଔଷଧ ବି ଜବତ କରିଛି । ଏହି ଔଷଧଗୁଡିକୁ ଚୋରାରେ ବିଦେଶ ପଠାଯାଉଥିବା କଥା ଏନସିବି କହିଛି । ସବୁଠାରୁ ବଡକଥା ହେଲା, ଏହି କାରବାରରେ ଜାଲ୍ ଦସ୍ତାବିଜ ବ୍ୟବହାର ହୋଇଛି।

ଏନସିବିର ଉପନିର୍ଦ୍ଦେଶକ କେପିଏସ ମାଲହୋତ୍ରାଙ୍କ ସୂଚନା ମୁତାବକ ଆଗ୍ରା, ବାଲିଆ ଓ ଦିଲ୍ଲୀରେ ଚଢାଉ କରି ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାମରେ ଅଭିଯୋଗ ରହିଛି କି ସେମାନେ ଭାରତ ସରକାରଙ୍କ ଦ୍ୱାରା ପ୍ରତିବନ୍ଧ ଲଗାଯାଇଥିବା ଔଷଧ କିଣି ତାହାକୁ ବେଆଇନ ଭାବେ ଆମେରିକା, ବ୍ରିଟେନ, ୟୁରୋପ ସମେତ ଅନେକ ଦେଶକୁ ଚୋରାରେ ଚାଲାଣ କରୁଛନ୍ତି । ଏ ନେଇ ହରିଦ୍ୱାରର ଏକ ଔଷଧ କମ୍ପାନୀ ଉପରେ ଚଢାଉ କରି ଏନସିବି ୩୦ ଲକ୍ଷରୁ ଅଧିକ ନିଶା ଔଷଧ ଓ ୭୦ ହଜାରରୁ ଅଧିକ କାଶ ଔଷଧ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧୨ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ହେଲେ କୌଣସି ସୂତ୍ରରୁ ଚଢାଉ ହେଉଥିବାର ଖବର ପାଇଁ ଉକ୍ତ କମ୍ପାନୀର ମାଲିକ କେଉଁଆଡେ ଫେରାର୍ ହୋଇଯାଇଛି । ଏନସିବିର ସୂଚନା ମୁତାବକ ଦୀର୍ଘ ୩ ମାସର ପ୍ରଚେଷ୍ଟା ପରେ ଏହି ଅଭିଯାନକୁ ସଫଳତା ମିଳିଛି।