କନକ ବ୍ୟୁରୋ : ଚିଙ୍ଗୁଡି ଘେରି ଓ ଟ୍ରଲରରେ ଡିଜେଲ ବ୍ୟବହାର ପାଇଁ ବ୍ୟକ୍ତିଗତ ଡିଜେଲ ପମ୍ପ ଅନୁମତି ଦିଆଯାଇଛି । ରାଜନଗର ବ୍ଲକ ତାଳଚୁଆର ରାଜେନ୍ଦ୍ରନଗର ମୌଜାରେ ବ୍ୟକ୍ତିଗତ ଡିଜେଲ ପମ୍ପ ଖୋଲାଯାଇଛି । ଇଣ୍ଡିଆନ ଅଏଲ ପକ୍ଷରୁ ଉପାସନା ସି’ଫୁଡର ମାଲିକଙ୍କୁ ଏଚଏସଡି ଅର୍ଥାତ୍ ହାଇସ୍ପିଡ ଡିଜେଲ କଂଜୁମର ପମ୍ପ ଖୋଲିବାକୁ ଅନୁମତି ଦିଆଯାଇଛି । ମାତ୍ର ଏଠାରେ ପ୍ରତିଦିନ ଶହ ଶହ ଲିଟର ତେଲ କଳା ବଜାରରେ ବିକ୍ରି ହେଉଛି । ଏହି ବ୍ୟକ୍ତିଗତ ପମ୍ପର ମାଲିକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସବୁଜାଣି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି ।
କେନ୍ଦ୍ରାପଡା ରାଜନଗର ବ୍ଲକ ତାଳଚୁଆ ବଜାରର ରାଜେନ୍ଦ୍ରନଗର ମୌଜା ଠାରେ ଉପାସନା ସି’ଫୁଡର ବ୍ୟକ୍ତିଗତ ଡିଜେଲ ପମ୍ପ ରହିଛି । ଉପସନା ସି’ଫୁଡର ପ୍ରାୟ ୩ ହଜାର ଏକର ଜମିରେ ଚିଙ୍ଗୁଡି ଘେରି କରିଥିବା ଦର୍ଶାଇ ନିଜ ନାଁରେ ବ୍ୟକ୍ତିଗତ ବ୍ୟବହାର ପାଇଁ ଏହି ଡିଜେଲ ପମ୍ପର ଅନୁମତି ଆଣିଛନ୍ତି । ମାତ୍ର ନିଜସ୍ୱ ବ୍ୟବହାର ପାଇଁ ଖୋଲାଯାଇଥିବା ଏହି ହାଇସ୍ପିଡ ଡିଜେଲ ପମ୍ପରେ ଖୁଲମ ଖୁଲା କଳା କାରବାର କରାଯାଉଛି । ଅଟୋ ଠୁଁ ଆରମ୍ଭ କରି ପ୍ରାଇଭେଟ ଓ ଟ୍ରାନ୍ସପୋର୍ଟିଂ ଗାଡିରେ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଅର୍ଥ ଦେଇ ତେଲ ପକାଉଛନ୍ତି । ନିକଟରେ ତେଲ ଟାଙ୍କୀ ନଥିବାରୁ ବାହାର ଗାଡି ଆସିଲେ, ତାଙ୍କୁ ତେଲ ବିକୁଥିବା ସ୍ୱୀକାର କରିଛନ୍ତି ଡିଜେଲ ପମ୍ପ କର୍ମଚାରୀ ।
ସଂପୃକ୍ତ ଅଂଚଳରେ କୌଣସି ବ୍ୟବସାୟିକ ପେଟ୍ରୋଲ ଓ ଡିଜେଲ ପମ୍ପ ନାହିଁ । ୪୦ କିଲୋମିଟର ଦୂରରେ ରାଜନଗର ପେଟ୍ରୋଲ ପମ୍ପ ଥିବାରୁ ଉପାସନା ସି’ଫୁଡ ପକ୍ଷରୁ ଖୁମଲଖୁଲା ତେଲର କଳା ବଜାରି କରାଯାଉଛି । ତେଲ ପକାଉଥିବା ଗ୍ରହକଙ୍କୁ ରସିଦ ଦିଆଯାଉନଥିବା ବେଳେ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ବିକ୍ରି କରାଯାଉଛି । ଏପରିକି ଏହି ପମ୍ପରେ ଷ୍ଟକ ରେଜିଷ୍ଟର ମେଂଟେନ କରାଯାଉନାହିଁ କି ଡେନସିଟି ମଧ୍ୟ ମପା ଯାଉନାହିଁ । ଗାଁ ଭିତରେ ଡିଜେଲ ପମ୍ପ ହୋଇଥିବା ବେଳେ ସେପ୍ଟି ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ।
ଯଦି କୌଣସି ପରିସ୍ଥିତିରେ ଡିଜେଲ ଟାଙ୍କରେ କିଛି ଦୁର୍ଘଟଣା ଘଟେ, ସେଥିପାଇଁ କିଏ ଦାୟୀ? ଟାଙ୍କିର ମାଲିକଙ୍କ ପ୍ରତି ସରକାରଙ୍କର ଏତେ ଅନୁକମ୍ପା କାହିଁକି? ବକ୍ତିଗତ ବ୍ୟବହାର ପାଇଁ ଥିବା ଡିଜେଲ ପମ୍ପରେ ଅନ୍ୟମାନେ ତେଲ ପକାଉଛନ୍ତି କିମିତି? ଏବେ ଏମିତି ଅନେକ ପ୍ରଶ୍ନ ଉଠିଛି ।