କଣ୍ଟେନରରେ ହେଉଥିଲା ଗୋ-ଚାଲାଣ । ଅଟକାଇବାରୁ ଗୋ-ସୁରକ୍ଷା କର୍ମୀଙ୍କୁ ମାଡ ମାରିଲେ ଗୋରୁ ମାଫିଆ ।

127

କନକ ବ୍ୟୁରୋ : କଣ୍ଟେନରରେ ଶତାଧିକ ଗୋରୁ ଚାଲାଣ ବେଳେ ଖବର ପାଇ ଅଟକାଇଲେ ଗୋସୁରକ୍ଷା ସମିତିର କର୍ମକର୍ତ୍ତା । ଆଉ ଅଟକାଇବାରୁ ସେମାନଙ୍କୁ ଆକ୍ରମଣ କରିଛନ୍ତି ଗୋମାଫିଆ । ଭଦ୍ରକ ଜିଲ୍ଲା ରାଣୀତାଲରେ କିଛି ଏଭଳି ଘଟଣା ଘଟିଛି । ଗୋରୁ ମାଫିଆଙ୍କ ମାଡ଼ରେ ଗୋସୁରକ୍ଷା ସମିତିର ୩ ଜଣ କର୍ମକର୍ତ୍ତା ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ଗୋ ଚାଲାଣ ହେଉଥିବା କଣ୍ଟେନରକୁ ଅଟକାଇବାବେଳେ ମାଫିଆମାନେ ଆକ୍ରମଣ କରିଛନ୍ତି । ଘଟଣାସ୍ଥଳରୁ ଗୋଟିଏ କଣ୍ଟେନର ଖସିପଳାଇଥିବା ବେଳେ ଆଉ ୨ଟି କଣ୍ଟେନରକୁ ଜବତ କରାଯାଇଛି । ଜବତ କଣ୍ଟେନର ମଧ୍ୟରୁ ୨୦୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଜାତୀୟ ରାଜପଥ ଦେଇ ଶତାଧିକ ଗୋଚାଲାଣ ହେଉଥିବା ନେଇ ଗୋସୁରକ୍ଷା କର୍ମକର୍ତ୍ତା ଜାଣିବାକୁ ପାଇଥିଲେ ।

ଆଉ କର୍ମକର୍ତ୍ତାମାନେ ଜାତୀୟ ରାଜପଥରେ ୩ଟି କଣ୍ଟେନରକୁ ଅଟକାଇଥିଲେ । କଣ୍ଟେନରରେ ଥିବା ଗୋମାଫିଆମାନେ କର୍ମକର୍ତ୍ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ତିନି ଜଣ କର୍ମକର୍ତ୍ତା ଗୁରୁତର ଆହତ ହୋଇଛନ୍ତି ।