ପଦ୍ମପୁରରେ ମାତିଛନ୍ତି ଇଟା ମାଫିଆ । ବେଆଇନ୍ ଭାବେ ଚାଲିଛି ଇଟା ତିଆରି । ସବୁ ଜାଣି ବି ନିରବ ପ୍ରଶାସନ ।

130

କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ଓ ଜଙ୍ଗଳ କ୍ଷୟକୁ ରୋକିବା ପାଇଁ ସରକାର ମାଟି ଇଟା ତିଆରି କରିବା ତଥା ପୋଡିବା ଉପରେ ରୋକ ଲଗାଇଛନ୍ତି । ହେଲେ ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ଅଂଚଳରେ ଅବାଧରେ ବେଆଇନ ଭାବେ ଇଟା ପକାଇ ଚାଲିଛନ୍ତି ଦଲାଲ । ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀ ଓ ଇଟା ମାଫିଆମାନେ ମିଳିମିଶି ଏଭଳି କରୁଥିବା ବେଳେ ପରିବେଶ ପ୍ରଦୂଷଣ, ଜଙ୍ଗଳ କ୍ଷୟ ହେବା ସହ ରାଜସ୍ୱ ହରାଉଛନ୍ତି ସରକାର  ।

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ମାତିଛନ୍ତି ଇଟା ମାଫିଆ । ଦିନକୁ ଦିନ ଇଟା ଭାଟି ବଢୁଛି, ଜଙ୍ଗଲ କମୁଛି  । ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଗାଇସିଲାଟ ତହସିଲ ଅଧିନରେ ଏବେ ସକ୍ରିୟ ଅଛନ୍ତି ଇଟା ମାଫିଆ । ସ୍ଥାନୀୟ ଲୋକଙ୍କୁ ଡରାଇ ଧମକାଇ ମାଫିଆ ମାନେ ଜଙ୍ଗଲରୁ ମୂଲ୍ୟବାନ କାଠ ଚୋରି କରି ଇଟା ଭାଟି ପୋଡୁଛନ୍ତି, ଆଉ ଧୂଆଁରେ ଅସ୍ତବ୍ୟସ୍ତ ହେଉଛନ୍ତି ସ୍ଥାନୀୟ ଲୋକେ । କେବଳ ଏତିକି ନୁହେଁ, ଇଟା ତିଆରି କରିବା ପାଇଁ ଜେସିବି ଲଗାଇ ଜଙ୍ଗଲ ଜମିରୁ ମାଟି ଖୋଳି ନେଉଛନ୍ତି ଦଲାଲ ।

ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସହଯାଗରେ ଇଟା ମାଫିଆ ସରକାରୀ ନିୟମକୁ ଉଲଂଘନ କରି ରାଜସ୍ୱ ଲୁଟ କରିବା ସହ ପରିବେଶ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି । ବେଆଇନ୍ ଭାବେ ହଜାର ହଜାର ଇଟା ଭାଟି ପୋଡା ହେଉଛି, ସରକାର ରାଜସ୍ୱ ହରାଉଛନ୍ତି । ଆଉ ସବୁ ଜାଣି ବିଭାଗୀୟ ଅଧିକାରୀ ଅଜଣା ହେଉଛନ୍ତି । ଏ ବିଷୟରେ ତଦନ୍ତ କରିବା ପାଇଁ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ।

ପଦ୍ମପୁର ଅଂଚଳରେ କେବେ ବନ୍ଦ ହେବ ବେଆଇନ ଇଟା ଭାଟି? ଇଟା ମାଫିଆ ଓ ଅସାଧୁ କର୍ମଚାରୀଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ? ଏବେ ସେହି ଦିନକୁ ଅପେକ୍ଷା କରିଛନ୍ତି ଇଟା ଭାଟିରେ ସବୁ ବେଳେ ସିଝୁଥିବା ସ୍ଥାନୀୟ ଲୋକେ ।