ଗାଁ ପାଖ ପାହାଡ ଉପରେ ହେଉଛି ବେଆଇନ୍ ବିସ୍ଫୋରଣ । ଘରେ ଓ ଚାଷ ଜମିରେ ପଡୁଛି ପଥର ଖଣ୍ଡ । ଗାଁରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି ଲୋକେ

379

କନକ ବ୍ୟୁରୋ: ଦିନରେ ଶାନ୍ତ ରହୁଥିବା ଖଣି ଅଞ୍ଚଳ ରାତିରେ ଗର୍ଜି ଉଠୁଛି । ପାହାଡରେ ହେଉଥିବା ବିସ୍ଫୋରଣର ପ୍ରଭାବ ପାହାଡ ପାଦଦେଶରେ ଥିବା ଗାଁରେ ଦେଖିବାକୁ ମିଳୁଛି । ବାଲେଶ୍ୱର ଖଇରା ବ୍ଲକ ଶାରୀଶୁଆ ପାହାଡରୁ ପଥର ଆସି ଗାଁ ଓ ଚାଷ ଜମିରେ ପଡୁଛି । ଯାହା ଫଳରେ ଚାଷ ଜମି ନଷ୍ଟ ହେଉଥିବା ବେଳେ ଲୋକେ ଘରେ ବି ଅସୁରକ୍ଷିତ ମଣୁଛନ୍ତି । ଏନେଇ ଖଣି ନିଲାମଧାରୀଙ୍କୁ ଜଣାଇଲେ ବି କେହି କିଛି ଶୁଣୁନାହାନ୍ତି । ପ୍ରଶାସନର ନଜର ଆଢୁଆଳରେ ବେଆଇନ୍ ବ୍ଲାଷ୍ଟିଂ ଚାଲିଥିବାରୁ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି ।

  • ଶାରିଶୁଆ ପାହାଡ଼ରେ ବ୍ଲାଷ୍ଟିଂ
  • ଗାଁରେ ପଡ଼ୁଛି ପାହାଡ଼ ପଥର
  • ଖଣି ରାସ୍ତା ବନ୍ଦ କଲେ ଗ୍ରାମବାସୀ

ବାଗେଇପୁର ଅଞ୍ଚଳର ବରବିଲ ଠାରୁ ୫ଶହ ମିଟର ଦୂରରେ ରହିଛି ଅଣସ୍ୱୀକୃତିପ୍ରାପ୍ତ ୧୬ ନମ୍ବର ଖଣିରେ ବ୍ଲାଷ୍ଟିଂ ଯୋଗୁଁ ୨୫ଟି ପରିବାର ପ୍ରଭାବିତ ହୋଇଛନ୍ତି । ପଥର ପଡି ସୁଦର୍ଶନ ନାୟକଙ୍କ ଘର ଭାଙ୍ଗି ଯାଇଛି । ତେଣୁ ଗାଁ ପାଖରେ ଥିବା ୧୬ ଓ ୧୭ ନମ୍ବର ଖଣିକୁ ପ୍ରଶାସନ ବନ୍ଦ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଖଣି ବନ୍ଦ କରିବା ପାଇଁ ଆଇନ୍ ଅନୁସାରେ ପଦକ୍ଷେପ ନେବାକୁ ସ୍ଥାନୀୟ ତହସିଲଦାର ପ୍ରକାଶ କରିଛନ୍ତି ।

ତେବେ ଗାଁ ନିକଟସ୍ଥ ଉକ୍ତ ଖଣିଗୁଡିକ ବନ୍ଦ ନହେଲେ ଜିଲ୍ଲପାଳଙ୍କୁ ଭେଟି ଦୁଃଖ ଜଣାଇବେ ବୋଲି କହିଛନ୍ତି ଗ୍ରାମବାସୀ ।