ଏ କେମିତି ହେଲା, ବାଂଲାଦେଶୀ ନାଗରିକ ଉତ୍ତର ମୁମ୍ବାଇର ବିଜେପି ସଂଖ୍ୟାଲଘୁ ସେଲର ସଭାପତି । ଟ୍ୱିଟ୍ କରି କଂଗ୍ରେସ କଲା ଟାର୍ଗେଟ? 

202

କନକ ବ୍ୟୁରୋ : ଜଣେ ବାଂଲାଦେଶୀ ନାଗରିକଙ୍କ ଗିରଫକୁ ନେଇ ଏବେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଦଳର ମୁଖପାତ୍ର ସଚିନ ସାୱନ୍ତ ଏନେଇ ଟ୍ୱିଟ୍ କରିବା ସହ ବିଜେପି ଉପରେ ବର୍ଷିଛନ୍ତି । ତେବେ ଏହି ବାଂଲାଦେଶୀ ନାଗରିକଙ୍କ ପରିଚୟ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । କାରଣ ଗିରଫ ହୋଇଥିବା ବାଂଲାଦେଶୀ ନାଗରିକ ଜଣକ ହେଉଛନ୍ତି ବିଜେପିର ଉତ୍ତର ମୁମ୍ବାଇ ସଂଖ୍ୟାଲଘୁ ସେଲର ସଭାପତି । ଯିଏ ଦୀର୍ଘ ବର୍ଷ ହେବ ଜାଲ କାଗଜପତ୍ର ଦେଖାଇ ମୁମ୍ବାଇରେ ରହି ଆସୁଥିଲେ । ୨୪ ବର୍ଷୀୟ ଏହି ଯୁବକଙ୍କ ନାଁ ହେଉଛି ରୁବେଲ ଜୋନୁ ଶେଖ ।

ରୁବେଲଙ୍କ ଗିରଫ ପରେ ସଚିନ୍ ସାୱନ୍ତ ଟ୍ୱିଟ୍ କରି କହିଛନ୍ତି, କିଛି ବିଜେପି ନେତା ପୂର୍ବରୁ ଗୋ-ଚାଲାଣ କରୁଥିବା ନେଇ ଧରାପଡିଥିଲେ ଆଉ ଏବେ ଜଣେ ବାଂଲାଦେଶୀ ନାଗରିକ ବିଜେପିର ସଂଖ୍ୟାଲଘୁ ସେଲର ସଭାପତି ଭାବେ କାମ କରୁଛନ୍ତି । କଣ ବିଜେପି ପାଇଁ ନାଗରିକତା ସଂଶୋଧନ ଆଇନରେ କିଛି ଅଲଗା ପ୍ରାବଧାନ ରହିଛି କି?

ରୁବେଲକୁ ମୁମ୍ବାଇ ପୋଲିସ ଗତ ସପ୍ତାହରେ ଗିରଫ କରିଥିଲା । ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରୁବେଲ ଶେଖ ବାଂଲାଦେଶର ଜସୁର ଜିଲ୍ଲାର ବାସିନ୍ଦା । ୨୦୧୧ ମସିହାରେ ବିନା କୌଣସି ବୈଧ କାଗଜପତ୍ରରେ ଭାରତକୁ ଚାଲିଆସିଥିଲା ରୁବେଲ । ଆଉ ଏହାପରେ ଦୀର୍ଘଦିନ ହେବ ବିଜେପି ପାଇଁ କାମ କରିବା ପରେ ଉତ୍ତର ମୁମ୍ବାଇର ଦଳର ସଂଖ୍ୟାଲଘୁ ସେଲର ସଭାପତି ଭାବେ ନିଯୁକ୍ତି ପାଇଥିଲେ ରୁବେଲ । ଆଉ ଏହାପରେ ନକଲି କାଗଜପତ୍ର ଆଧାରରେ ଭାରତର ବିଭିନ୍ନ କାଗଜପତ୍ର ବନାଇଥିଲେ ରୁବେଲ ।