ନୟାଗଡ଼ରେ ଗର୍ଭପାତକୁ ନେଇ ବିତର୍କ । ପେଟରେ ଥିବା ଶିଶୁ, ବାମନ ହେବା ନେଇ ଜାଣିବା ପରେ କରାଇଥିଲେ ଗର୍ଭପାତ, ନର୍ସିଂହୋମ ସିଲ୍ କରି ୫ଜଣଙ୍କୁ ଗିରଫ କଲା ପୋଲିସ । 

312

କନକ ବ୍ୟୁରୋ : ନୟାଗଡ ନିକଟସ୍ଥ ବାହାଡାଝୋଲା ଅଞ୍ଚଳର ଜଣେ ମହିଳା ଦୁଇ ଦିନ ପୂର୍ବରୁ ଗର୍ଭପାତ କରାଇଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ନର୍ସିଂହୋମକୁ ସିଲ୍ କରିବା ସହ ୫ଜଣଙ୍କୁ ଗିରଫ କରିଛି । ବିଭିନ୍ନ ଦଫାରେ କେସ ରୁଜୁ କରାଯାଇଛି । କିନ୍ତୁ ଏସବୁ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି । ଗର୍ଭପାତ କରିଥିବା ମହିଳା ଜଣକ ଜଣେ ଡାକ୍ତରଙ୍କୁ ତାଙ୍କ ଗର୍ଭପାତର କାରଣ ସମ୍ପର୍କରେ କହିଥିଲେ । ସେ କହିଥିଲେ, ଅଲଟ୍ରାସାଉଣ୍ଡରୁ ଜଣାପଡିଥିଲା ତାଙ୍କ ପେଟରେ ଥିବା ଶିଶୁ ‘ସ୍କେଲିଡାଲ ଡିସପ୍ଲେସିଆ’ ରୋଗରେ ପୀଡିତ ଅଛି । ଅର୍ଥାତ ସେ ଏକ ବାମନ ହେବ । ଏହା ଜାଣିବା ପରେ ସେମାନେ ଗର୍ଭପାତ ପାଇଁ ନିଷ୍ପତି ନେଇଥିଲେ । ଏବେ ପ୍ରଶ୍ନ ଉଠୁଛି ଯଦି ଶିଶୁ ଭିନ୍ନକ୍ଷମ ହେବ ବୋଲି ଜଣାପଡିବ, ତେବେ ଗର୍ଭପାତ ପାଇଁ ଅଧିକାର ଅଛି ନାଁ ନାହିଁ ।

ନୟାଗଡର ଏକ ଘରୋଇ ହସ୍ପିଟାଲରେ ବେଆଇନ୍ ଗର୍ଭପାତ ଅଭିଯୋଗରେ ଚଢାଉ । ଶେଷରେ ୨ ଦିନ ତଳେ ହୋଇଥିବା ଏକ ଗର୍ଭପାତର ସନ୍ଧାନ ପାଇଥିଲା ପୁଲିସ । ହସପିଟାଲ ପାଇଖାନା ଟାଙ୍କିରୁ ଭୃଣର ଗଳିତ ମୃତଦେହ ଠାବ କରାଯାଇଛି । ଏହାସହ ଅପରେସନ ଥିଏଟରରେ ଗର୍ଭପାତ ପାଇଁ ବ୍ୟବହାର କରାଯାଇଥିବା ସକ୍ସନ୍ ମେସିନ୍ ବି ଜବତ ହୋଇଛି ।

କାହିଁକି କରାଯାଇଥିଲା ଗର୍ଭପାତ ? ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ବି ଭାବିବା ପାଇଁ ବାଧ୍ୟ କରିବ । ଗର୍ଭପାତ କରାଯାଇଥିବା ସଂପୃକ୍ତ ବାହାଡାଝୋଲା ଅଞ୍ଚଳର ମହିଳା ଜଣେ ଡାକ୍ତରଙ୍କୁ କହିଥିଲେ ଯେ, ତାଙ୍କ ପେଟରେ ବଢୁଥିବା ପିଲାର ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ସେ ନୟାଗଡର ସନ୍ ଆପୋଲୋ କ୍ଲିନିକରେ ଗର୍ଭ ପରୀକ୍ଷା କରାଇଥିଲେ । ସେଥିରୁ ଜଣାପଡିଥିଲା ଯେ, ଗର୍ଭରେ ଥିବା ଭ୍ରୁଣ ପୁଅ କି ଝିଅ ଜଣାପଡିବ ନାହିଁ, କିନ୍ତୁ ପିଲାଟି ‘ସ୍କେଲିଡାଲ ଡିସପ୍ଲାସିଆ’ ରୋଗରେ ପୀଡିତ ଅଛି । ଏହାର ଅର୍ଥ ହେଉଛି ପିଲାଟି ବାମନ ହେବ । ଏହାପରେ ସେମାନେ ଗର୍ଭପାତ କରିବାକୁ ନିଷ୍ପତି ନେଇଥିଲେ ।

ଯଦି ନୟାଗଡ ଗର୍ଭପାତର ଏହି ସୂଚନା ସତ ହୋଇଯାଏ, ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରୁଛି । ଏଭଳି କ୍ଷେତ୍ରରେ ଗର୍ଭପାତ କରାଯାଇ ପାରିବ, କିନ୍ତୁ ଏଥିପାଇଁ ଅନୁମତି ଆବଶ୍ୟକ । ଯାହା ଏ କ୍ଷେତ୍ରରେ ପାଳନ କରାଯାଇନାହିଁ । ସେପଟେ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ ।