କେବେ ଶୀର୍ଷରେ ପଂହଚିବ ଦ୍ୱିତୀୟ ଲହରର ସଂକ୍ରମଣ : ପୁଣି କାନପୁର ଆଇଆଇଟିର ନୂଆ ମଡେଲ, ମେ ୧୪ରୁ ୧୮ ମଧ୍ୟରେ ଶୀର୍ଷରେ ପଂହଚିପାରେ ସକ୍ରିୟ କରୋନା ମାମଲା

୧୦ ଦିନ ମଧ୍ୟରେ ଦୈନିକ ଆକ୍ରାନ୍ତ ଛୁଇଁପାରେ ୪ ଲକ୍ଷ ୪୦ ହଜାର

288

କନକ ବ୍ୟୁରୋ : ଭାରତରେ ଚାଲିଥିବା କରୋନାର ଦ୍ୱିତୀୟ ଲହରର ଶୀର୍ଷ ସଂକ୍ରମଣ ନେଇ କାନପୁର ଆଇଆଇଟିର ବୈଜ୍ଞାନିକମାନେ ଆଉ ଏକ ମଡେଲ ଦେଇଛନ୍ତି । ଏହି ଗାଣିତିକ ମଡେଲ ଅନୁସାରେ ମେ’ ୧୪ରୁ ୧୮ ମଧ୍ୟରେ ଦେଶର ସକ୍ରିୟ ମାମଲା ଶୀର୍ଷରେ ପହଁଚିବ । ଏହି ସମୟରେ ୩୮ରୁ ୪୮ ଲକ୍ଷ ସକ୍ରିୟ ସଂକ୍ରମଣ ରହିଥିବ ବୋଲି ଆକଳନ କରାଯାଇଛି ।

ପୂର୍ବରୁ ମେ’ ୧୧ରୁ ୧୫ ମଧ୍ୟରେ ଦେଶରେ କରୋନା ଶୀର୍ଷ ଛୁଇଁବ ବୋଲି କୁହାଯାଇଥିଲା । ହେଲେ ଯେଉଁଭଳି ଭାବେ ଦେଶରେ ସଂକ୍ରମଣ ବଢ଼ିଚାଲିଛି, ଏହାକୁ ଦୃଷ୍ଟିରେ ରଖି ମଡେଲକୁ ବଦଳାଇଛି ଆଇଆଇଟି କାନପୁର । ଏବେ ଗୋଟିଏ ଦିନରେ ସାଢ଼େ ୩ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୨୮ ଲକ୍ଷ ଟପିଯାଇଛି ଦେଶରେ ସକ୍ରିୟ ସଂକ୍ରମଣ ମାମଲା । ଏହି ସଂଖ୍ୟା ଶୀର୍ଷ ସ୍ତରରେ ସଂକ୍ରମଣ ପହଁଚିବା ସମୟରେ ଆହୁରି ୧୦ ଲକ୍ଷରୁ ଅଧିକ ମାମଲା ଯୋଡି ହୋଇଯିବ ବୋଲି ଆକଳନ କରିଛନ୍ତି କାନପୁର ଆଇଆଇଟିର ବୈଜ୍ଞାନିକ ।

ସେହିପରି ଆସନ୍ତା ୧୦ ଦିନ ମଧ୍ୟରେ ଦୈନିକ ମାମଲା ଆହୁରି ବଢ଼ିବ ବୋଲି କୁହାଯାଇଛି । ଅର୍ଥାତ୍ ମେ’ ୪ରୁ ୮ ତାରିଖ ମଧ୍ୟରେ ଦୈନିକ ସଂକ୍ରମଣ ୪ ଲକ୍ଷ ୪୦ ହଜାର ହୋଇପାରେ ବୋଲି ଆକଳନ କରାଯାଇଛି । ଅର୍ଥାତ୍ ଦୈନିକ ସଂକ୍ରମଣ ଏହି ସମୟରେ ଶୀର୍ଷ ଛୁଇଁବ । ଏପ୍ରିଲ ମାସର ପ୍ରଥମ ସପ୍ତାହରେ ଏହି ମଡେଲ ଅନୁଯାୟୀ ଆକଳନ କରାଯାଇଥିଲେ ଯେ ସକ୍ରିୟ ମାମଲା, ଏପ୍ରିଲ ୧୫ ମଧ୍ୟରେ ଶୀର୍ଷ ଛୁଇଁବ । ତେବେ ବଢୁଥିବା ସଂକ୍ରମଣ, ଟେଷ୍ଟ-ପଜିଟିଭ୍ ହାର, ସଂକ୍ରମଣ ଆଶଙ୍କା ଓ ପ୍ରବଣତା ଆଦି ମାନଦଣ୍ଡ ବଦଳୁଥିବାରୁ ମଡେଲ ବଦଳୁଛି ବୋଲି ମତ ଦେଇଛନ୍ତି ବୈଜ୍ଞାନିକ ।