ସତରେ ଅଛନ୍ତି କି ଭୂତ ? ମନ୍ତ୍ର ଜପି ଛଡ଼ାଇଥିଲେ ଭୂତ ! ଆଇଆଇଟି ପ୍ରଫେସରଙ୍କ ଦାବି ପରେ ବିବାଦ ।

672

କନକ ବ୍ୟୁରୋ : ବର୍ତମାନ ସମୟରେ ବିଜ୍ଞାନର ଅତ୍ୟାଧୁନିକ ଅଗ୍ରଗତି ପରେ ମଧ୍ୟ ଭୂତପ୍ରେତ ଭଳି ପ୍ରସଙ୍ଗକୁ ଅନେକ କ୍ଷେତ୍ରରେ ପ୍ରଶୟ ଦିଆଯାଉଛି । ଏହାକୁ ନେଇ ବହୁ ସମୟରେ ଅନେକ ମତ ମତାନ୍ତର ମଧ୍ୟ ଦେଖାଦେଉଛି । ତେବେ ଏହି ସବୁ ଭିତରେ ଆଇଆଇଟି ମାଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କର ଏଭଳି ଏକ ମନ୍ତବ୍ୟ ସାମ୍ନାକୁ ଆସିଛି । ଯାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ସତରେ ଭୂତ ଅଛନ୍ତି, ଆଧୁନିକ ଯୁଗରେ ଏନେଇ ବାଦବିବାଦ ଚାଲି ଆସିଥିବା ବେଳେ ଦେଶର ଜଣେ ବିଶିଷ୍ଟ ବିଜ୍ଞାନୀ ଏବଂ ଆଇଆଇଟିର ଜଣେ ପ୍ରଫେସରଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି । ଭୂତ ସଂପର୍କରେ ଆଇଆଇଟି ମାଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଉଭୟ ସପକ୍ଷ ଓ ବିପକ୍ଷରେ ମତ ପ୍ରକାଶ ପାଇଛି । ସେ ଏହି ଭିଡିଓରେ କହିଥିଲେ, ସେ ତାଙ୍କର ଜଣେ ବନ୍ଧୁଙ୍କ ପରିବାରକୁ ଭୂତ କବଳରୁ ମନ୍ତ୍ର ଜପି ମୁକ୍ତ କରିଥିଲେ । ଏ ନେଇ କନକ ନ୍ୟୁଜ ତାଙ୍କ ସହ ଯୋଗାଯୋଗ କରିଥିଲା । ସେ କହିଛନ୍ତି, ଯାହାର ଦ୍ୱନ୍ଦ୍ୱ ଅଛି ସେମାନେ ତାଙ୍କ ସହ ଆଲୋଚନା କରିପାରିବେ । କିନ୍ତୁ ଗଣମାଧ୍ୟମର ଚର୍ଚ୍ଚା ପାଇଁ କିଛି କହିପାରିବେ ନାହିଁ ।

ସତରେ ଅଛନ୍ତି କି ଭୂତ ? ଆଇଆଇଟି ପ୍ରଫେସରଙ୍କ ବୟାନକୁ ନେଇ ଚର୍ଚ୍ଚା । ଚେନ୍ନାଇରେ ନିଜ ବନ୍ଧୁଙ୍କ ପରିବାର ଲୋକଙ୍କୁ ଭୂତ ସବାର ହୋଇଥିଲା, ଭୂତ କବଳରୁ ସେମାନଙ୍କୁ ମୁକ୍ତ କରିଥିଲେ ଆଇଆଇଟି ମାଣ୍ଡିର ନିଦ୍ଦେର୍ଶକ ଡକ୍ଟର ଲକ୍ଷ୍ମୀଧର ବେହେରା । ଏପରି ମନ୍ତବ୍ୟ ଦେଇଥିବା ତାଙ୍କର ୟୁଟ୍ୟୁବର ଏକ ପୁରୁଣା ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତାଙ୍କ ମତରେ ମୃତ୍ୟୁ ପରେ ଶରୀର ମରିଯାଏ, ହେଲେ ଆତ୍ମା ଅମର ।

ମନ୍ତ୍ର ଜପି ଛଡ଼ାଇଥିଲେ ଭୂତ ! ଆଇଆଇଟି ପ୍ରଫେସରଙ୍କ ଦାବି ପରେ ବିବାଦ । ‘ହରେକୃଷ୍ଣ ହରେରାମ’ ସହ ଭଗବତ୍ ଗୀତାର ଜ୍ଞାନକୁ ପ୍ରୟୋଗ କରି ସେ ଭୂତ ସବାରରୁ ନିଜ ବନ୍ଧୁଙ୍କୁ ମୁକ୍ତ କରିଥିଲେ ବୋଲି ଦାବି କରିଛନ୍ତି ଆଇଆଇଟି ମାଣ୍ଡିର ନିଦ୍ଦେର୍ଶକ ଡକ୍ଟର ଲକ୍ଷ୍ମୀଧର ବେହେରା ।

୧୯୯୩ ମସିହାରେ ଚେନ୍ନାଇରେ ଭୂତ ସବାର ହୋଇଥିବା ତାଙ୍କ ବନ୍ଧୁଙ୍କ ଘରକୁ ଦୁଇ ସହଯୋଗୀଙ୍କ ସହ ଯାଇଥିଲେ । ଏବଂ ସେଠାରେ ୧୦ରୁ ୧୫ ମିନିଟ୍ ମନ୍ତ୍ର ଜପିବା ପରେ ତାଙ୍କ ବନ୍ଧୁଙ୍କ ବାପା ଚାଲିବା ଆରମ୍ଭ କରିଥିଲେ । ଭୂତ ଲାଗିବା ସମୟରେ ତାଙ୍କ ବାପା ଏଭଳି ଡେଉଁଥିଲେ ଯେ ତାଙ୍କ ମୁଣ୍ଡ ଘରର ଛାତରେ ବାଜୁଥିଲା । ବନ୍ଧୁଙ୍କ ବାପାଙ୍କ ବ୍ୟତୀତ ତାଙ୍କ ମାଆ ଓ ପତ୍ନୀଙ୍କ ମଧ୍ୟରେ ମଧ୍ୟ ଭୂତ ସବାର ହୋଇଥିଲା । ସେହିପରି ୪୫ ମିନିଟରୁ ଏକ ଘଣ୍ଟା ପର୍ଯ୍ୟନ୍ତ ବଡ଼ ପାଟିରେ ମନ୍ତ୍ର ଜପ କଲାପରେ ପ୍ରେତାତ୍ମା ଛାଡ଼ି ଯାଇଥିଲା ବୋଲି ସେ ଦାବି କରିଛନ୍ତି । ଏପରି ଦାବି ସପକ୍ଷରେ ଓ ବିପକ୍ଷରେ ମତ ପ୍ରକାଶ ପାଇଛି ।

ବିଜ୍ଞାନ ଯୁଗରେ ଭୂତ ଥିବା ନେଇ ଆଇଆଇଟି ପ୍ରଫେସରଙ୍କ ଯୁକ୍ତି କେତେ ଯୁକ୍ତିଯୁକ୍ତ, ଏହାକୁ ନେଇ ପ୍ରଶ୍ନ ଉଠିଛି । ରବୋଟିକ୍ସ ଓ ଆଟିପିସିଆଲ୍ ଇଂଟେଲିଜେନ୍ସ ଉପରେ ଆଇଆଇଟି ଛାତ୍ରଙ୍କୁ ପାଠ ପଢ଼ାଉଥିବା ଡକ୍ଟର ବେହେରାଙ୍କ ଭୂତ ତତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି ।