କନକ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ ବା ଏନଆଇଆରଏଫ ଅନ୍ତର୍ଗତ ଇଣ୍ଡିଆ ରାଙ୍କିଙ୍ଗ-୨୦୨୪କୁ ଉନ୍ମୋଚନ କରିଛନ୍ତି । ଭାରତରେ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତାର ଏହା କ୍ରମାଗତ ନବମ ସଂସ୍କରଣ । ଇଣ୍ଡିଆ ରାଙ୍କିଙ୍ଗର ୨୦୨୪ ସଂସ୍କରଣରେ ୪ଟି ସ୍ୱତନ୍ତ୍ର ସଂଯୋଜନ ତଥା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିଶ୍ୱବିଦ୍ୟାଳୟ ନାମରେ ତିନୋଟି ନୂତନ ବର୍ଗର ପ୍ରଚଳନ ହୋଇଛି । ଏହାସହ ଏନଆଇଆରଏଫ ଫ୍ରେମଓ୍ୱାର୍କ ବ୍ୟବହାର କରି ଇଣ୍ଡିଆ ରାଙ୍କିଙ୍ଗରେ "ଇନୋଭେସନ" ରାଙ୍କିଙ୍ଗର ଏକୀକରଣ ହୋଇଛି । ମୁକ୍ତ ବିଶ୍ୱବିଦ୍ୟାଳୟ, ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିଶ୍ୱବିଦ୍ୟାଳୟ ଭଳି ତିନୋଟି ବର୍ଗକୁ ମିଶାଇ ଇଣ୍ଡିଆ ରାଙ୍କିଙ୍ଗ ବର୍ତ୍ତମାନର ପୋର୍ଟଫୋଲିଓ ୧୬ଟି ବର୍ଗ ଏବଂ ବିଷୟ କ୍ଷେତ୍ରକୁ ବୃଦ୍ଧି ପାଇଛି ଯାହା ଇଣ୍ଡିଆ ରାଙ୍କିଙ୍ଗ - ୨୦୨୪ରେ ସ୍ଥାନ ପାଇଛି।

Advertisment

ଏନଆଇଆରଏଫ ତାଲିକାରେ ସର୍ବଭାରତୀୟ ସ୍ତରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ କ୍ରମାଗତ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସାମଗ୍ରିକ ବା ଓଭରାଲ୍ ବର୍ଗରେ ଷଷ୍ଠ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଛି । ଏହାସହ ଏବଂ ଇଞ୍ଜିନିୟରିଂରେ କ୍ରମାଗତ ନବମ ବର୍ଷ ଅର୍ଥାତ୍ ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ପ୍ରଥମ ସ୍ଥାନ ବଜାୟ ରଖିଛି । ସେହିପରି ଓଭରାଲ୍ ବର୍ଗରେ ୨୩ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ୨୨ଟି ଘରୋଇ ଡିମ୍ଡ ବିଶ୍ୱବିଦ୍ୟାଳୟ, ୧୬ଟି ଆଇଆଇଟି, ୯ଟି ଏନ୍ଆଇଟି, ୭ଟି ଲେଖାଏଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୭ଟି ଘରୋଇ ବିଶ୍ୱବିଦ୍ୟାଳୟ, ୪ଟି ଲେଖାଏଁ ଏମ୍ସ, ଆଇଆଇଏସ୍ଇଆର୍ ଓ ସରକାରୀ ଡିମ୍ଡ ବିଶ୍ୱବିଦ୍ୟାଳୟ, ୩ଟି ସିଏଫ୍ଟିଆଇ ଓ ଗୋଟିଏ କଲେଜ ରହିଛି । ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରି ଶୁଭେଚ୍ଛା ଜଣାଇବା ସହ ଦେଶର ସମସ୍ତ ୫୮,୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ଓ ରେଟିଂ ଫ୍ରେମଓାର୍କକୁ ଆଣିବା ଜରୁରୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଙ୍କିଙ୍ଗ, ରେଟିଂ ଏବଂ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିସ । ଏନଆଇଆରଏଫ୍ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଭାବନାକୁ ଗଭୀର ଭାବରେ ପ୍ରତିଫଳିତ କରୁଛି । ଶିକ୍ଷାନୁଷ୍ଠାନର ଗୁଣବତ୍ତା, ପ୍ରଦର୍ଶନ ଓ ଶକ୍ତି ଜାଣିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଧିକାର । ତେଣୁ ଦେଶରେ ଥିବା ସମସ୍ତ ୫୮,୦୦୦ ଶିକ୍ଷାନୁଷ୍ଠାନ ରାଙ୍କିଂ ଓ ରେଟିଂ ଢାଞ୍ଚାରେ ଆସିବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି।