ଚକମା ଖାଇବ ଚୀନ୍, ଖୋଜି ପାଇବନି ପାକିସ୍ତାନ! ମଝି ଆକାଶରେ ଅଦୃଶ୍ୟ ହୋଇଯିବ ଭାରତର ଯୁଦ୍ଧ ବିମାନ, ଧରିପାରିବନି ଚୀନ ଓ ପାକିସ୍ତାନର ରାଡାର!
ଚୀନ ଓ ପାକିସ୍ତାନ ପାଇଁ ସର୍ତକ ଘଣ୍ଟି । ଏଣିକି ଆକାଶପଥରୁ ଭାରତ ଅନ୍ଧାଧୁନ ଗୁଳିବର୍ଷଣ କଲେ ମଧ୍ୟ ଜାଣିପାରିବେନି ଚୀନ୍ ଓ ପାକିସ୍ତାନ । ଏଭଳି ଏକ ବହ୍ମାସ୍ତ୍ର ନିର୍ମାଣ କରୁଛି ଭାରତ । ଆଇଆଇଟି କାନପୁରର ଏରୋସ୍ପେଶ ଇଞ୍ଜିନିୟରିଂ ବିଭାଗ ଷ୍ଟେଲଥ ଜ୍ଞାନକୌଶଳ ଯୁକ୍ତ ଏକ ବିଶେଷ ବିମାନର ଡିଜାଇନ କରୁଛନ୍ତି । ଯାହାର ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପରୀକ୍ଷଣ ସମ୍ଭବ । ଏହି ଉନ୍ନତମାନର ଜ୍ଞାନକୌଶଳ ଅଳ୍ପ କିଛି ଦେଶ ପାଖରେ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଷ୍ଟେଲଥ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ବିମାନ ଗୁଡିକ ମଝି ଆକାଶରେ ଅଦୃଶ୍ୟ ହୋଇଯାଇଥାନ୍ତି । ଯାହାକୁ ଶତ୍ରୁପକ୍ଷର ରାଡାର ମଧ୍ୟ ଧରିପାରିବ ନାହିଁ । ଋଷ ସହ ମିଶି ପୂର୍ବରୁ ଏହି ପ୍ରୋଜେକ୍ଟ ଆରମ୍ଭ କରାଯାଇଥିବା ବେଳେ ଅଧାରୁ ଏଥିରୁ ଓହରି ଯାଇଥିଲା ଋଷ ।
Kanak News is now on WhatsApp
Join and get latest news updates delivered to you via WhatsApp
ସାମରିକ ଦୃଷ୍ଟିକୋଣରୁ ପଞ୍ଚମ ପିଢିର ଉନ୍ନତ ଲଢୁଆ ଯୁଦ୍ଧ ବିମାନ ବିକଶିତ କରିବା ଭାରତ ପାଇଁ ଏବେ ଆବଶ୍ୟକୀୟ ହୋଇ ପଡିଛି । ଏଥିପାଇଁ ଏଏମସିଏ ପ୍ରୋଜେକ୍ଟରେ କାମ କରୁଛି ଭାରତ । ଏହା ଅନୁଯାୟୀ, ମଧ୍ୟମ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଫାଇଟର ଜେଟ ନିର୍ମାଣ କରୁଛି ଭାରତ । ଆଉ ଏସବୁ ଭିତରେ ଆଇଆଇଟି କାନପୁର ଷ୍ଟେଲଥ ଜ୍ଞାନକୌଶଳରେ ବିଶେଷ ଲଢୁଆ ଯୁଦ୍ଧ ବିମାନର ଡିଜାଇନ ଓ ଏହାର ଡେମୋ ଡିଜାଇନ ମଧ୍ୟ ନିର୍ମାଣ କରିଛି । ସ୍ୱିଫ୍ଟ ନାମକ ଏହି ପ୍ରୋଜେକ୍ଟରେ ଋଷ ମଧ୍ୟ ପ୍ରଥମରୁ ଜଡିତ ଥିଲା । କିନ୍ତୁ ୨୦୧୮ରେ ଋଷ ଏହି ପ୍ରୋଜେକ୍ଟରୁ ଓହରିଯିବା ଫଳରେ ଏହାର ଇଞ୍ଜିନ ନିର୍ମାଣକୁ ନେଇ ସମସ୍ୟା ଦେଖାଦେଇଥିଲା । କାରଣ ସ୍ୱିଫ୍ଟର ଇଞ୍ଜିନ ଋଷ ଦେଉଥିଲା ।
ଋଷ ଓହରିଯିବା ପରେ ଇଞ୍ଜିନକୁ ନେଇ ଦେଖାଦେଇଥିବା ସମସ୍ୟାକୁ ଭାରତୀୟ ବୈଜ୍ଞାନିକ ମାନେ ଦୂର କରିଥିଲେ । ଏହି ପ୍ରୋଜେକ୍ଟ ଅକ୍ଟୋବର ସୁଦ୍ଧା ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚିଥିବ । ଆଇଆଇଟି କାନପୁରର ଏରୋସ୍ପେଶ ଇଞ୍ଜିନିୟରିଂ ବିଭାଗର ମୁଖ୍ୟଙ୍କ କହିବା ଅନୁଯାୟୀ, ଷ୍ଟେଲଥ ମଡେଲର ଏହି ବିମାନର ସମ୍ପୂର୍ଣ୍ଣ ପରୀକ୍ଷଣ କରାଯିବ । ଆଉ ପରୀକ୍ଷଣ ସମୟରେ ବିମାନର ଗତି, ଶବ୍ଦ, ଆକାଶରେ କେତେ ସମୟ ସ୍ଥିର ରହିପାରୁଛି ତାହାର ଆକଳନ କରାଯିବ ।
ଅକ୍ଟୋବର ମାସରେ ଏହି ପରୀକ୍ଷଣ ସଫଳ ହେଲେ ମାନବ ରହିତ ଏହି ବିମାନର ନିର୍ମାଣ କାର୍ଯ୍ୟକୁ ଯଥାସମ୍ଭବ ବୃଦ୍ଧି କରାଯିବ । ମାନବ ବିହୀନ ଏହି ସ୍ୱତନ୍ତ୍ର ବିମାନରେ ଫିଲ୍ଡ ରାଡାର, ଆରଏଫ ସେନ୍ସର, ଗ୍ରାଉଣ୍ଡ ରାଡାର ଓ ଅତ୍ୟାଧୁନିକ ସେନ୍ସର ଜ୍ଞାନକୌଶଳ ରହିବ ଯାହା ବିମାନକୁ ଶତ୍ରୁ ପକ୍ଷର ନଜରରୁ ଦୂରେଇ ରଖିବ । କୋଟି କୋଟି ଟଙ୍କାର ଏହି ପ୍ରୋଜେକ୍ଟରେ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ସହଯୋଗ କରୁଛି । ପ୍ରଫେସର ଏକେ ଘୋଷ ଓ ପ୍ରଫେସର ସୁବ୍ରମଣ୍ୟମ ସଡରେଲାଙ୍କ ତତ୍ୱାବଧାନରେ ଏହି ପ୍ରୋଜେକ୍ଟର କାମ ଜାରି ରହିଛି ।
ପ୍ରଫେସର ସୁବ୍ରମଣ୍ୟମ ସଡରେଲାଙ୍କ ଅନୁଯାୟୀ, ପ୍ରଥମେ ଏହି ମଡେଲ ବିମାନର ଟିକିନିକି ତଥ୍ୟ କମ୍ପ୍ୟୁଟରରେ ସଂରକ୍ଷିତ କରାଯାଉଛି । ଆଉ ଏହା ମାଧ୍ୟମରେ ବିମାନ କେତେ ଉଚ୍ଚତା ଓ କେତେ ଗତିରେ ଉଡିପାରିବ ଏବଂ ଏହାସହ ଆକାଶରେ ଉଡୁଥିବା ବେଳେ ଏଥିରୁ କେତେ ଶବ୍ଦ ବାହାରୁଛି ତାହାର ଆକଳନ କରାଯିବ । ଏପରିକି ଆକାଶରେ କେତେ ସମୟ ପର୍ଯ୍ୟନ୍ତ ସ୍ଥିର ରହିପାରିବ ତାହାର ପରୀକ୍ଷଣ ହେବ । ବେଶ ହାଲୁକା ଥିବା ଏହି ବିମାନରେ ଷ୍ଟେଲଥ ମାଟେରିଆଲର ବ୍ୟବହାର କରାଯାଇଛି ।
କିଭଳି ହେବ ପରୀକ୍ଷଣ :
ଚଳିତ ବର୍ଷ ଅକ୍ଟୋବର ମାସରେ ଏହି ସ୍ୱତନ୍ତ୍ର ବିମାନର ପରୀକ୍ଷଣ ହେବାକୁ ଥିବା ବେଳେ ଆଇଆଇଟି କାନପୁରର ଏୟାରଷ୍ଟ୍ରିପ ଆଖପାଖରେ ପୂରା ବ୍ୟାଟେଲ ଫିଲ୍ଡ ପ୍ରସ୍ତୁତ କରାଯିବ । ରାଡାର ସିଷ୍ଟମକୁ ଅତ୍ୟାଧୁନିକ ମେସିନ ଦ୍ୱାରା ସୁସଜ୍ଜିତ କରାଯିବ । ଆଉ ଏହାପରେ ଏହି ଫିଲ୍ଡରୁ ଏହି ଯୁଦ୍ଧ ବିମାନର ପ୍ରଥମ ମଡେଲ ପରୀକ୍ଷଣ କରାଯିବ । ବିମାନର ଗତି ଓ ରାଡାର ନଜରରେ ନ ଆସିଲେ ହିଁ ପରୀକ୍ଷଣ ସଫଳ ହୋଇପାରିବ ।