ବଦଳିବ ଭାଗ୍ୟ ! ଖୁବଶୀଘ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର ହେବ ଆଇଆଇଏମ୍

27

କନକ ବ୍ୟୁରୋ : ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପରିସରକୁ ସ୍ଥାନାନ୍ତରିତ ହେବ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ । ୨୦୧୮ ଜାନୁଆରୀ ସୁଦ୍ଧା ଏହା ବିଶ୍ୱ ବିଦ୍ୟାଳୟ ପରସରରେ ଥିବା ଏହାର ଅସ୍ଥାୟୀ କ୍ୟାମ୍ପସକୁ ସ୍ଥାନାନ୍ତର ହେବ ବୋଲି ନିଷ୍ପତି ନିଆଯାଇଛି । ଗତକାଲି ବୋର୍ଡ ଅଫ ଗଭର୍ନର୍ସ ମିଟିଂରେ ଏହି ନିଷ୍ପତି ନିଆଯାଇଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଯୋଗଦେଇଥିଲେ । ଦକ୍ଷତା ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ କୁମାର ସିଂ ଙ୍କ ସମେତ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ଓ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମାନେଏହି ବୈଠକରେ ଯୋଗ ଦେଇଥିବା ବେଳେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ଏମ୍ ପି ଜୟଶ୍ୱାଲ ବୈଠକରେ ସବିଶେଷ ବିବରଣୀ ପାଠ କରିଥିଲେ ।

ଗତ ଦୁଇବର୍ଷ ଧରି ଘରୋଇ କଲେଜ ସିଲିକନ ୟୁନିଭରସିଟି ପରିସରରେ ଆଇଆଇଏମ୍ ଚାଲୁଛି । ତେବେ ଏହି ସ୍ଥାନାନ୍ତରଣ ଦ୍ୱାରା ସରକାରୀ କୋଠାରେ ଅପଗ୍ରେଡେସନ ପାଇଁ ସରକାର ଟଙ୍କା ଖର୍ଚ୍ଚ କରିବା ସହଜ ହେବ । ପୂର୍ବରୁ ଘରୋଇ ଅନୁଷ୍ଠାନରେ ଏହା ଖର୍ଚ୍ଚ ହୋଇପାରୁନଥିଲା । ତେଣୁ କ୍ୟାମ୍ପସକୁ ବ୍ୟବସ୍ଥିତ କରାଇବା ସରକାରଙ୍କ ପାଇଁ ସୁବିଧାଜନକ ହେବ ।

ସମ୍ବଲପୁର ୟୁନିଭରିସିଟି ପରିସରରେ ଆଇଆଇଏମର ନୂଆ ଅସ୍ଥାୟୀ କ୍ୟାମ୍ପସ ସ୍ଥାପନ ପାଇଁ ପ୍ରାୟ ୭୯ କୋଟି ଟଙ୍କା ମଂଜୁର ହୋଇଥିବା ଜଣାପଡିଛି । ତେବେ ବୋର୍ଡ ଅଫ ଗଭର୍ନର୍ସ ରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ, ଏହି ଅର୍ଥରେ ନୂଆ ଏକାଡେମିକ୍ ବିଲ୍ଡିଂ ଏବଂ ହଷ୍ଟେଲ ନିର୍ମାଣ କରାଯିବ । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ । ଏନେଇ ସମ୍ବଲପୁର ଆଇଆଇଏମ୍ ଓ ସମ୍ବଲପୁର ୟୁନିଭରିସିଟି ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହେବାକୁ ଯାଉଛି । ମିଳିଥିବା ତଥ୍ୟ ଅନୁସାରେ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ମଧ୍ୟ ଏହି ଏମଓୟୁକୁ ଅନୁମୋଦନ ଦେଇସାରିଛି ଏବଂ ଏହି ଦିଗରେ କାର୍ଯ୍ୟକାରୀ କରିବାକୁ ଗ୍ରୀନ ସିଗନାଲ ମିଳିଛି ।

ଏହା ଭିତରେ ଆଇଆଇଏମ୍ ସମ୍ବଲପୁର ୬୦ରୁ ୧୨୦ ସିଟ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ତେଣୁ ଏହି ନୂଆ ଏକାଡେମିକ ବ୍ଲକ ଏଦିଗରେ ଯଥେଷ୍ଟ ସାହାଯ୍ୟ କରିବ । ଖାଲି ଏତିକି ନୁହେଁ ଏହାକୁ ନଜରରେ ରଖି ଅଧିକ ଫାକୁଲଟି ପଦ ପୁରଣ ପାଇଁ ଆଇଆଇଏମ୍ ପକ୍ଷରୁ ପ୍ରକିୟା ଆରମ୍ଭ ହେଉଛି ।

ସମ୍ବଲପୁର ଆଇଆଇଏମ୍ ହେଉଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଇନ ଇଣ୍ଡିଆର ୧୪ ତମ କ୍ୟାମ୍ପସ । ୨୦୧୫ରେ ଏହା ପ୍ରତିଷ୍ଠା କରାଯାଇଥିଲା ।