କନକ ବ୍ୟୁରୋ : ମାର୍ଶାଘାଇ ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟ । କେନ୍ଦ୍ରାପଡା ମାର୍ଶାଘାଇ ଥାନାର ଇନଚାର୍ଜ ଆଇଆଇସି । ପଦୋନ୍ନତି ପାଇ ଡିଏସପି ହୋଇଥିଲେ ବି ଥାନା ଛାଡିବାକୁ ନାରାଜ । ଏହି ପୋଲିସ ଅଧିକାରୀଙ୍କ ପରିଚୟ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ବଦଳିଯାଇଛି । ଲୋକେ ତାଙ୍କୁ ପୋଲିସ ନୁହେଁ ଗୁଣ୍ଡା ବୋଲି କହୁଛନ୍ତି । ଥାନାରେ ନିଜକୁ ସର୍ବେସର୍ବା ଭାବି ନିରୀହ ଲୋକଙ୍କୁ ନିସ୍ତୁକ ମାଡ ମାରୁଥିବା ଏହି ବାବୁଙ୍କ କାରନାମା ଦିନକୁ ଦିନ ବଢିବାରେ ଲାଗିଛି ।

Advertisment

ଥାନାବାବୁଙ୍କ ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଆଶ୍ରମ ବାଲିକୁଦା ଗାଁର ଆକାଶ ନାଥ । ପାରିବାରିକ କଳହ ପାଇଁ ଥାନାକୁ ଡାକି ଆଇଆଇସି ଜ୍ୟୋତିରଂଜନ ଏମିତି ମାଡ ମାରିଲେ ଯେ ସେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ଆଉ ଏବେ ତାଙ୍କ ଘରେ ଚାବି ପଡିଥିବା ବେଳେ ପରିବାରବର୍ଗଙ୍କ ଖୋଜ ଖବର ମିଳୁନି ।

ସେହିପରି ଗତ ୪ ତାରିଖରେ ମାର୍ଶାଘାଇ ଗାଁର ମନୋରଂଜନ ଦଳାଇ ଜଣେ ସଂପର୍କୀୟାଙ୍କ ସହ ଥାନାକୁ ଆସିଥିଲେ ନ୍ୟାୟ ପାଇଁ । ହେଲେ ଥାନାକୁ ସଂପର୍କୀୟାଙ୍କ ସହ କାହିଁକି ଆସିଲ କହି ଜ୍ୟୋତିରଂଜନ ଏକ ପାଇପରେ ନିର୍ଘାତ ମାଡ ମାରିଥିଲେ । ସାଙ୍ଗରେ ଯାଇଥିବା ଲୋକ କାକୁତି ମିନତି ହୋଇଥିଲେ ବି ଥାନା ବାବୁ ଛାଡିନଥିଲେ । ମାଡ ଖାଇ ହସ୍ପିଟାଲରେ ଭର୍ତି ହୋଇଥିବା ମନୋରଂଜନ ଏବେ ପାରାଲିସିସରେ ଆକ୍ରାନ୍ତ ହୋଇଛନ୍ତି । ଗରିବ ଶ୍ରେଣୀର ମନୋରଂଜନଙ୍କ ପାଇଁ ଔଷଧ କିଣିବାକୁ ମଧ୍ୟ ଟଙ୍କା ନାହିଁ ।

ଖାଲି ଏତିକି ନୁହେଁ ଗତ ୨୦୨୦ ଜୁଲାଇ ୩୧ରେ ଦୁଇ ଜଣ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଉଠାଇ ଆଣି ନିସ୍ତୁକ ମାଡ ମାରିଥିଲେ । ଥାନା ହାଜତରେ ଦୁଇ ଡାକ୍ତର ହାତ ଯୋଡି ନେହୁରା ହେଉଥିବା ଫଟୋ ଏବେ ସୋସିଆଲ ମିଡିଆ ବେଶ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ଚଳିତ ମାସରେ ଆଇଆଇସି ଜ୍ୟୋତିରଂଜନ ପଦୋନ୍ନତି ପାଇ ଡିଏସପି ହୋଇଛନ୍ତି । ତାଙ୍କ ନାଁରେ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି ।