ତାଲାବନ୍ଦରେ ଜୀବିକା ହରାଇ ଭିଟାମାଟି ଫେରିଥିଲେ ପ୍ରବାସୀ: ୪ ମାସ ପରେ ପରିବାର ଚଳାଇବା ହେଲାଣି ଅସମ୍ଭାଳ; ଗଂଜାମର ହଜାର ହଜାର ଲୋକ ପୁଣି ଥରେ ସୁରଟ ମୁହାଁ

ପେଟପାଟଣା ଚିନ୍ତାରେ ସମସ୍ତେ

145

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢିବା ସହ ବିଭିନ୍ନ କଳକାରଖାନା ବନ୍ଦ ହେବା ପରେ ବିକଳ ଅବସ୍ଥାରେ ଭିଟାମାଟିକୁ ଫେରିଥିଲେ ସୁରତରେ କାମ କରୁଥିବା ପ୍ରବାସୀ ଓଡିଆ । ସେମାନେ ଫେରିବାକୁ ପ୍ରାୟ ୪ ମାସ ବିତିଗଲାଣି । ଏହାରି ଭିତରେ ପ୍ରାୟ ୪ ଲକ୍ଷରୁ ଅଧିକ ପ୍ରବାସୀ ଗଂଜାମକୁ ଫେରିଛନ୍ତି । କିନ୍ତୁ ଦିନ ପରେ ଦିନ ବିତୁଥିବା ବେଳେ ସେମାନେ ଘରେ ହାତବାନ୍ଧି ବସିଛନ୍ତି । କୌଣସି କାମ ନାହିଁ । ଫଳରେ ରୋଜଗାର ନାହିଁ । ପରିବାର ପ୍ରତିପୋଷଣର ଦାୟିତ୍ୱ ଥିବା ବେଳେ କାମ ଅଭାବ ସେମାନଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ସେପଟେ ସୁରତରେ କଳକାରଖାନା ଆରମ୍ଭ ହେଲାଣି । କଂପାନୀ କର୍ତୃପକ୍ଷ ଫେରି ଆସିବା ପାଇଁ କହୁଛନ୍ତି । କିନ୍ତୁ ଫେରିବା ପାଇଁ ମଧ୍ୟ ଭଡା ବାବଦକୁ ଜଣକା ପ୍ରାୟ ୪ ହଜାର ଟଙ୍କା ଦରକାର । ଏତେ ପରିମାଣର ଅର୍ଥ ସେମାନେ ଆଣିବେ କେଉଁଠୁ ।

ଅନ୍ୟପଟେ ସୁରତରେ ଯାଇ ଗୁଜୁରାଣ ମେଂଟାଇବାକୁ ଉଦ୍ୟମ କରିବାକୁ ଚାହୁଁଛନ୍ତି । ସେପଟେ କେତେକ ଗାଁରେ ଗୁଜରାଟରୁ ଆସିଥିବା ବସ୍ ଡେରା ପକାଇଛି । ଗାଁକୁ ଫେରିଥିବା ପ୍ରବାସୀ ମଧ୍ୟ ସୁରତ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିନା କମରେ ସେମାନେ ବଂଚିବେ କେମିତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଭିଟାମାଟିକୁ ଫେରିବା ପରେ ସରକାରଙ୍କ ପାଖରୁ କିଛି କାମ ମିଳିବ ବୋଲି ଲୋକେ ଆଶା କରିଥିବା ବେଳେ ଏଥିରେ ସେମାନେ ନିରାଶ ହୋଇଛନ୍ତି । ତେଣୁ ନିଜ ଘରପରିବାର ଚଳାଇବା ଦୃଷ୍ଟିରୁ ପୁଣି ଥରେ ସୁରତକୁ ଫେରିବା ପାଇଁ ସେମାନେ ନିଷ୍ପତି ନେଇଛନ୍ତି । ଯାତ୍ରା ଖର୍ଚ୍ଚ ପାଇଁ ଧାର ଉଧାର କରିବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି ।

ଅନ୍ୟପଟେ ସୁରତରେ କଳକାରଖନା ଖୋଲିଯାଇଥିଲେ ମଧ୍ୟ ସେମାନେ ପହଂଚିଲା ପରେ ତୁରନ୍ତ କାମ ମିଳିବ କି ନାହିଁ ସେନେଇ କୌଣସି ସ୍ପଷ୍ଟତା ନାହିଁ ବୋଲି କିଛି ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି । କରୋନା ମହାମାରୀ ଆସିବା ପୂର୍ବରୁ ନିଜ ଅଂଚଳରେ କାମ ନପାଇ ରୋଜଗାର ପାଇଁ ପ୍ରବାସ ଯାତ୍ରା କରିଥିଲେ । ଏବେ ପୁଣି ସେହି ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ଅଂଚଳରେ ରୋଜଗାର କରିବା ପାଇଁ ସୁଯୋଗ ନପାଇ ଏବେ ସେମାନେ ପୁଣି ଥରେ ସୁରତ ମୁହାଁ ।