ସରିଲା ପାଠକ ବାପ ପୁଅଙ୍କ ରଙ୍ଗୀନ ଦୁନିଆର ସୁଖ । ସଂଗରୋଧ ୱାର୍ଡ଼ରେ ବିତିଲା ପ୍ରଥମ ରାତି । ପସନ୍ଦ ନଥିଲେ ବି ଖାଇବାକୁ ପଡ଼ିଲା ରୁଟି, ସନ୍ତୁଳା । ଅଧ ରାତି ଯାଏଁ ଆଖିକୁ ଆସିଲାନି ନିଦ ।

614

କନକ ବ୍ୟୁରୋ: ସୌଖୀନ ଜୀବନରୁ ସଙ୍ଗରୋଧ ସେଣ୍ଟର । ଅୟସ ଆରାମର ହୋଟେଲ ଖାଇବାରୁ ରୁଟି ସନ୍ତୁଳା । ଅମାପ ସମ୍ପତ୍ତିର ଅଧିକାରୀ କୁବେର ପାଠକ ବାପ-ପୁଅଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ଯବନିକା ପଡିଛି ଆଉ ସରିଛି ଅଭୟ-ଆକାଶଙ୍କ ରଙ୍ଗୀନ ଦୁନିଆର ସୁଖ । ଗିରଫ ହେବା ପରେ ଦୁହିଁଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ଖାଇବାକୁ ଦିଆଯାଇଛି ରୁଟି, ସନ୍ତୁଳା । ପସନ୍ଦ ନଥିଲେ ବି ପାଠକ ବାପା-ପୁଅ ସେସବୁ ବାଧ୍ୟରେ ଖାଇଛନ୍ତି । ଯେଉଁଥିପାଇଁ ଅଧ ରାତି ଯାଏଁ ଆଖିକୁ ଆସିନଥିଲା ନିଦ ।

ଭାଗ୍ୟ ଯେତେବେଳେ କଡ଼ ଲେଉଟାଏ ଆକାଶରୁ ଆଣି ମାଟିରେ କଚାଡ଼ି ଦିଏ । ପାଠକ ବାପ ପୁଅଙ୍କ ରଙ୍ଗୀନ ଦୁନିଆର ସଉକ ଶେଷ ହୋଇଛି । ଆଉ ସଂଗରୋଧ ୱାର୍ଡ଼ରେ ରାତିରେ ବିତାଇବାକୁ ପଡ଼ିଛି । ବିଳାସପୁର୍ଣ୍ଣ ଫ୍ଲାଟରେ ରହିବା, ପଂଚତାରକା ହୋଟେଲରେ ଖାଇବା, ଲକ ଡ଼ାଉନରେ ଆକାଶରେ ଉଡ଼ି ବୁଲିବାର ନିଶା ଏବେ ଉତୁରି ଯାଇଛି ।

ଗତକାଲି ସଂଧ୍ୟା ପ୍ରାୟ ୭ଟାରେ ଧ୍ରୁତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଜେଲ ହାଜତକୁ ନିଆଯାଇଥିଲା । ନିୟମ ଅନୁସାରେ ପ୍ରଥମେ ସଂଗରୋଧ ୱାର୍ଡ଼ରେ ରଖାଯାଇଛି । ଅଭୟକାନ୍ତଙ୍କୁ ୧୧ ନମ୍ବର ୱାର୍ଡ଼ରେ ଓ ଆକାଶଙ୍କୁ ୯ ନମ୍ବର ୱାର୍ଡ଼ରେ ରଖାଯାଇଛି । ସେମାନଙ୍କୁ ୧୪ ଦିନ ସଂଗରୋଧରେ ରଖାଯିବ । କୌଣସି ଲକ୍ଷଣ ଦେଖାନଗଲେ ସାଧାରଣ ୱାର୍ଡ଼କୁ ସ୍ଥାନାନ୍ତର କରାଯିବ । ମିଳିଥିବା ସୂଚନା ଅନୁସାରେ ଉଭୟଙ୍କୁ ରାତିରେ ଜେଲର ରୁଟି ଓ ସନ୍ତୁଳା ଦିଆଯାଇଛି । ବାପ ପୁଅଙ୍କୁ ତାହା ରୁଚି ନଥିଲେ ମଧ୍ୟ ଖାଇବାକୁ ପଡ଼ିଛି ।

Comments are closed.