ଭୁବନେଶ୍ୱର ଭିଜିଲାନ୍ସ ଶାଖା କାର୍ଯ୍ୟାଳୟରେ ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ସାରା ରାତି ଜେରା: ବାପ, ପୁଅଙ୍କ ସହ ପୁତୁରା ଓ ଡ୍ରାଇଭରଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କଲା ତଦନ୍ତକାରୀ ସଂସ୍ଥା

ଅପରାହ୍ନରେ ହେବେ କୋର୍ଟ ଚାଲାଣ

183

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଆଜି ହୋଇପାରେ ଗିରଫଦାରୀ । ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରିବ ତଦନ୍ତକାରୀ ସଂସ୍ଥା । ଆ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଂଚ ଚାଲିଥିବା ବେଳେ ବାପା ପୁଅଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରା କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସେଲ ଶାଖା କାର୍ଯ୍ୟାଳୟରେ ଅଭୟକାନ୍ତ ପାଠକ ପୁଅ ଆକାଶ ପାଠକ ପୁତୁରା ହର୍ଷ ପାଠକ ଏବଂ ଡ଼୍ରାଇଭରଙ୍କୁ ଜେରା କରାଯାଇଛି । ଏପରିକି ୪ଜଣଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ । ଜେରାରେ ଭିଜିଲାନ୍ସର ବଛାବଛା ଅଧିକାରୀ ନିୟୋଯିତ ହୋଇଥିଲେ । ପାଠକଙ୍କ ପ୍ରାୟ ୯କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ ହୋଇଛି । ତେଣୁ ସଂଧ୍ୟା ସୁଧା ତାଙ୍କୁ ଗିରଫ କରିବା ପାଇଁ ପ୍ରାୟସ ଚଳାଇଛି ଭିଜିଲାନ୍ସ ।

ତେବେ ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କଠାରୁ ଯେଉଁ ସମ୍ପତି ଜବତ ହୋଇଛି, ତାରା ତାଲିକା ବେଶ ଲମ୍ବା ରହିଛି । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଛି । ବଡ କଥା ହେଲା ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଂଟରେ ୯.୪ କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମରେ ଜମାହୋଇଛି । ପୁଅ ଆକାଶ ନାଁରେ ରହିଛି ୩ଟି ଦାମି ଗାଡି । ମର୍ସିଡେଜ, ବିଏମଡବ୍ଲୁ, ଟାଟା ହାରିୟର ।

ସେହିପରି ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ମଧ୍ୟ ଆକାଶ ନାଁରେ ରହିଛି । ଏହା ଛଡା ଦାମି ଗାଡି ମଧ୍ୟ ଭଡାରେ ନେଉଥିଲେ ଆକାଶ । ପୁନେରେ ଚଢାଉ ସମୟରେ ୨ଟି ମର୍ସିଡିଜ ସମେତ ୩ଟି ଗାଡି ଭଡାରେ ନେଇଥିବା ମଧ୍ୟ ଜଣାପଡିଥିଲା । ଗାଡି ଭଡା ବାବଦକୁ ଖର୍ଚ୍ଚ ହୋଇଛି ୨୫ ଲକ୍ଷ ଟଙ୍କା । ସେହିପରି ଫ୍ଲାଟ ଓ ଘର ଭଡା ବାବଦକୁ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁମ୍ବାଇର ତାଜ ମହଲ ପ୍ୟାଲେସ ହୋଟେଲରେ ହୋଟେଲ ବିଲ ହୋଇଛି ୯୦ ଲକ୍ଷ ଟଙ୍କା । ସେହିପରି ରାଜସ୍ଥାନ ଉଦୟପୁର ତାଜ ଲେକ ପ୍ୟାଲେସରେ ଆଡଭାନ୍ସ ବାବଦକୁ ଦିଆହୋଇଛି ୨୦ଲକ୍ଷ ଟଙ୍କା । ଚାଟାର୍ଡ ଫ୍ଲାଇଟରେ ଭ୍ରମଣରେ ଖର୍ଚ୍ଚ ହୋଇଛି ୩ କୋଟି ଟଙ୍କା । ମାଲେସିଆ, ହଂକଂ, ବ୍ରିଟେନ୍, ୟୁଏଇ, ମାସଡିଭସକୁ ଭ୍ରମଣ କରିଥିବା ଜଣାପଡିଛି । ପୁନେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର ଏବଂ ଦିଲ୍ଲୀକୁ ମଧ୍ୟ ଚାଟାର୍ଡ ଫ୍ଲାଇଟରେ ଭ୍ରମଣ କରିଥିବା ଜଣାପଡିଛି ।