ବନ୍ଧାହେଲେ ପାଠକ ବାପ-ପୁଅ । ଗିରଫ ହେବା ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହେଲେ ହାଜର

214

କନକ ବ୍ୟୁରୋ : ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହେଲେ ହାଜର । ଏହାସହ ଅଭୟକାନ୍ତଙ୍କ ଡ୍ରାଇଭର ଓ ପୁତୁରାକୁ ଅଟକ ରଖିଛି ଭିଜିଲାନ୍ସ । ଆଇଏଫଏସ ଅଧିକାରୀ ଅଭୟକାନ୍ତଙ୍କ ନିକଟରୁ ଅମାପ ଧନ ସମ୍ପତ୍ତି ଜବତ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ ।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଅଭ୍ୟକାନ୍ତଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କଠାରୁ ଯେଉଁ ସମ୍ପତ୍ତି ଜବତ ହୋଇଥିଲା, ତାରା ତାଲିକା ବେଶ ଲମ୍ବା ଥିଲା । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା ।

ବଡ କଥା ହେଲା ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଂଟରେ ୯.୪ କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମରେ ଜମାହୋଇଛି । ପୁଅ ଆକାଶ ନାଁରେ ରହିଛି ୩ଟି ଦାମି ଗାଡି । ମର୍ସିଡେଜ, ବିଏମଡବ୍ଲୁ, ଟାଟା ହାରିୟର । ସେହିପରି ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ମଧ୍ୟ ଆକାଶ ନାଁରେ ରହିଛି ।

ଏହାପରେ ଭିଜିଲାନ୍ସ ପଞ୍ଝାରେ ପଡିଥିଲେ ଆକାଶ । ଆକାଶଙ୍କୁ ପୁନେରୁ ଫ୍ଲାଇଟ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ପରେ ଧନ ସମ୍ପତ୍ତି ନେଇ ଖୋଳତାଡ କରିଥିଲା ଭିଜିଲାନ୍ସ । ପରେ ଅଭୟକାନ୍ତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ କିଛି ବି ଠକେଇ ହୋଇନି । ସବୁ ଠିକ ଅଛି, ତାଙ୍କ ପୁଅର ମାସିକ ଦରମା କୋଟିଏ ଟଙ୍କା ।