ତବଲିଘି ଜମାତରୁ ଫେରିଥିବା ଲୋକଙ୍କୁ ୧୦୪କୁ ଫୋନ କରି ଯୋଗାଯୋଗ କରିବାକୁ କହିଲେ ରାଜ୍ୟ ସରକାର । ସରକାରଙ୍କୁ ଜଣାନ୍ତୁ, ଓଡ଼ିଶା ବଂଚାନ୍ତୁ ବୋଲି ଅପିଲ କଲେ ସୁବ୍ରତ ବାଗଚୀ

240

କନକ ବ୍ୟୁରୋ : ଗୋଟିଏ ଦିନରେ ରାଜ୍ୟର ୧୫ ଜଣ କରୋନା ଭୂତାଣୁରେ ସଂକ୍ରମିତ ହେବା ପରେ ଚିନ୍ତା ବଢିଯାଇଛିି । ବିଶେଷ କରି ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ୨୮ ଜଣଙ୍କ ମଧ୍ୟରୁ ୩ ଜଣ ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଥିବାରୁ ସରକାର ଅଧିକ ସତର୍କ ହୋଇଯାଇଛନ୍ତି । ସଂକ୍ରମିତ ମାନେ ହେଉଛନ୍ତି କଟକ, ପୁରୀ ଓ ଯାଜପୁରର । ମୁଖ୍ୟମନ୍ତ୍ରୀ ଅନୁରୋଧ କରିିଛନ୍ତି ଯେ, ନିଜାମୁଦ୍ଦିନ ସଭାରେ ଯୋଗ ଦେଇ ଓଡିଶା ଫେରିଥିବା ବ୍ୟକ୍ତି ଟ୍ରୋଲ ଫ୍ରି ନମ୍ବର ୧୦୪ରେ ତୁରନ୍ତ ଯୋଗାଯୋଗ କରନ୍ତୁ । ଡାକ୍ତରଙ୍କ ପରାମର୍ଶ ମାନନ୍ତୁ ଏବଂ ୨୪ ଘଂଟା ଭିତରେ ପରୀକ୍ଷା ପାଇଁ ଆଗେଇ ଆସନ୍ତୁ ।

ଏପଟେ ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ସମସ୍ତ ଲୋକଙ୍କ ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ଫାଇଭ-ଟି ସଚିବ । ଚିଠି ଲେଖି ଭି କାର୍ତିକେୟ ପାଣ୍ଡିଆନ୍ କହିଛନ୍ତି, ଯେଉଁମାନେ ଆଗକୁ ଆସି ନିଜ ବିଷୟରେ ସୂଚନା ଦେବେ ସରକାର ସେମାନଙ୍କୁ ପୁରା ସୁରକ୍ଷା ସହ ତାଙ୍କର ଓ ତାଙ୍କ ପରିବାରର ଯତ୍ନ ନେବେ । ଜିଲ୍ଲାପାଳ ଓ ଏସପି ମାନେ ଧାର୍ମିକ ନେତାଙ୍କୁ ଅନୁରୋଧ କରି ସେମାନଙ୍କ ବାବଦରେ ପୁରା ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୪ ଘଂଟା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ପାଣ୍ଡିଆନ୍ ତାଙ୍କ ଚିଠିରେ ଲେଖିଛନ୍ତି ।

ସେପଟେ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିବା ଲୋକଙ୍କୁ ଆଗେଇ ଆସିବା ପାଇଁ ବିଜେଡି ସାଂସଦ ମୁନା ଖାଁ ଓ କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଆହ୍ୱାନ ଦେଇଛନ୍ତି । ନିଜାମୁଦ୍ଦିନ ସମାବେଶରେ ସାଉଦି ଆରବ, ଇଣ୍ଡୋନେସିଆ, ମାଲେସିଆ ଭଳି ଦେଶରୁ ବହୁ ସଂଖ୍ୟାରେ ଧର୍ମଗୁରୁ ଯୋଗ ଦେଇଥିଲେ । ଏବଂ ଏଠାରେ ଯୋଗ ଦେଇଥିବା ଲୋକେ ଭାରତର ୧୭ଟି ରାଜ୍ୟରେ ପଜିଟିଭି ଚିହ୍ନଟ ହୋଇଛନ୍ତି ।