ଖାଦ୍ୟ ଓ ସଉଦା ବାଂଟିବାକୁ ଆଗ୍ରହ ଅଛି କି !! ତେବେ ରାଜଧାନୀରେ ବାଂଟିବାକୁ ହେଲେ ବିଏମସିର ଅନୁମତି ଆବଶ୍ୟକ

ଖାଦ୍ୟ ଓ ସଉଦା ବାଂଟିବାକୁ ଆଗ୍ରହ ଅଛି କି !! ତେବେ ରାଜଧାନୀରେ ବାଂଟିବାକୁ ହେଲେ ବିଏମସିର ଅନୁମତି ଆବଶ୍ୟକ

କନକ ବ୍ୟୁରୋ : ମାନବିକତା ଦୃଷ୍ଟିରୁ ଲକ୍‌ଡାଉନ ବେଳେ ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ବହୁ ଲୋକ ବିଭିନ୍ନ ଖାଦ୍ୟ ସାମଗ୍ରୀ, ସଉଦା ଆଦି ବାଣ୍ଟୁଛନ୍ତି। କିନ୍ତୁ ଏହି ସମୟରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନି। ଏପରିକି ଯେଉଁମାନଙ୍କର ଖାଦ୍ୟ ନିତାନ୍ତ ଆବଶ୍ୟକ ସେମାନଙ୍କ ନିକଟରେ ପହଞ୍ଚୁନି। ତେଣୁ ଏନେଇ ବିଏମ୍‌ସି ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। କୌଣସି ସଂସ୍ଥା, ବ୍ୟକ୍ତି ଯଦି ଖାଦ୍ୟ ସାମଗ୍ରୀ କି ସଉଦା ବାଣ୍ଟିବାକୁ ଚାହୁଁଥିବେ, ସେମାନେ ଗୋଟିଏ ଦିନ ପୂର୍ବରୁ ବିଏମ୍‌ସିକୁ ଜଣାଇବେ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି। ଏଥିପାଇଁ ବିଏମ୍‌ସି ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବେ ଆସିଷ୍ଟାଣ୍ଟ କମିସନର ଲିଲନ ପ୍ରସାଦ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ତିନିଟି ଜୋନ୍‌ରେ ତିନିଜଣ ଅଧିକାରୀଙ୍କୁ ନୋଡାଲ୍‌ ଅଫିସର କରାଯାଇଛି। ଏହି ନୋଡାଲ ଅଫିସରଙ୍କ ଅନୁମତିରେ ହିଁ ଏଣିକି ଲୋକମାନେ ବିଏମ୍‌ସି ଅଞ୍ଚଳରେ ଲୋକଙ୍କୁ ଖାଦ୍ୟ ପଦାର୍ଥ ବା ଅନ୍ୟା‌ନ୍ୟ ସାମଗ୍ରୀ ଦେଇ ପାରିବେ।

ବିଏମ୍‌ସିର ନୋଡାଲ ଅଫିସରଙ୍କୁ ଦାନ କରିବାକୁ ଥିବା ସଂସ୍ଥା/ବ୍ୟକ୍ତି ଖାଦ୍ୟ ସାମଗ୍ରୀ/ସଉଦାର ସବିଶେଷ ସୂଚନା ଦିନକ ଆଗରୁ ଦେବେ। ବିଏମ୍‌ସି ନୋଡାଲ ଅଫିସର ସେହିଦିନ ଅପରାହ୍‌ଣରେ ଏହାର ଏକ ଡାଟାବେସ୍‌ ପ୍ରସ୍ତୁତ କରି ଜୋନ୍‌ ସ୍ତରରେ ଥିବା ‌ନୋଡାଲ ଅଫିସରଙ୍କୁ ଜଣାଇବେ। ଯେଉଁ ଅଞ୍ଚଳରେ ଯାହା ଆବଶ୍ୟକ ଥିବ ସେହି ଅନୁସାରେ ପଠାଯିବ।

ସମସ୍ତଙ୍କ ପାଖରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ସେଥିପାଇଁ ଜୋନାଲ ଡେପୁଟି କମିସନରମାନଙ୍କୁ ସେମାନଙ୍କ ଅଞ୍ଚଳର ବାସହୀନ ଲୋକ, ଖାଦ୍ୟ ପାଉ ନ ଥିବା ଲୋକ, ଅର୍ଥାଭାବରେ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ହେବ। ସେମାନେ ୱାର୍ଡ ସ୍ତରୀୟ ଅଧିକାରୀ, ଆଶା କର୍ମୀ, ଅଙ୍ଗନୱାଡି ଦିଦିଙ୍କ ଦ୍ବାରା ଏହିଭଳି ଲୋକଙ୍କୁ ଚିହ୍ନଟ କରି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିପାରିବେ। ରନ୍ଧା ଖାଦ୍ୟ ବାଣ୍ଟିବା ପାଇଁ ଆହାର ଯୋଜନାରେ ଥିବା ୪ଟି ଗାଡ଼ି ବିଏମ୍‌ସି ନିକଟରେ ରହିବ। ଖାଦ୍ୟ ସାମଗ୍ରୀ ଓ ସଉଦା ବାଣ୍ଟିବାକୁ ଦୁଇଟି ଟାଟା ୨୦୭ ଗାଡ଼ି ଭଡ଼ାରେ ଆଣିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe