ଭୁଲିଗଲେ ଅତିଥି ଦେବୋ ଭବଃ ବାର୍ତ୍ତା। ଟୋଲ୍ ଫି’ ପାଇଁ ପର୍ଯ୍ୟଟକଙ୍କୁ ପିଟିଲେ ମୁଣ୍ଡଳି ଟୋଲ ଗେଟ କର୍ମଚାରୀ 

Advertisment
ଭୁଲିଗଲେ ଅତିଥି ଦେବୋ ଭବଃ ବାର୍ତ୍ତା। ଟୋଲ୍ ଫି’ ପାଇଁ ପର୍ଯ୍ୟଟକଙ୍କୁ ପିଟିଲେ ମୁଣ୍ଡଳି ଟୋଲ ଗେଟ କର୍ମଚାରୀ 

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ଉପରେ ଠେଙ୍ଗା ପାହାର । ପଡୋଶୀ ରାଜ୍ୟରୁ ଓଡିଶାକୁ ବୁଲିବା ପାଇଁ ଆସିଥିବା ଅତିଥିଙ୍କ ଉପରେ ଆକ୍ରମଣ । ଠେଙ୍ଗା ବାଡିରେ ଗୋଡାଇ ଗୋଡାଇ ନିର୍ଘାତ ପିଟୁଛନ୍ତି ଲୋକ ।  ଏମାନେ ଆମର ଅତିଥି । ପଡୋଶୀ ଛତିଶଗଡରୁ ପୁରୀ ବୁଲିବାକୁ ଆସିଥିଲେ । ଅତିଥି ଦେବୋ ଭବ, ସେହି ନ୍ୟାୟରେ ଭଲ ଅନୁଭୂତି ନେଇ ଫେରିବା କଥା । ଯେମିତି ଥରେ ଆସିଲେ ବାରମ୍ବାର ଆସିବାକୁ ଚାହିଁବେ । ବାହାର ପର୍ଯ୍ୟଟକ ଆସିଲେ ଓଡିଶା ପର୍ଯ୍ୟଟନର ବିକାଶ ହେବ । ଏହାକୁ ନେଇ ଚାଲୁଥିବା ଅର୍ଥନୀତିକୁ ଗତି ମଳିବ । ଥରେ ଭାବନ୍ତୁ ଏଭଳି ଅନୁଭୂତି ନେଇ ଫେରୁଥିବା ପର୍ଯ୍ୟଟକ, ଆଉଥରେ ଆସିବାକୁ ଚାହିଁବେ ତ?

ପୁରୀରେ ଶ୍ରୀମନ୍ଦିର ଦର୍ଶନ ସାରି ଛତିଶଗଡର ପ୍ରାୟ ୬୫ଜଣ ପର୍ଯ୍ୟଟକ ୨ଟି ବସରେ ସମ୍ବଲପୁର ଫେରୁଥିଲେ । ନନ୍ଦନକାନନରେ ବୁଲାବୁଲି କରିବା ପରେ ସେମାନଙ୍କ ଗାଡି ମୁଣ୍ଡଳି ଟୋଲଗେଟ୍ରେ ପହଂଚିଥିଲା । ଅଭିଯୋଗ ଅନୁସାରେ ଗାଡି ପିଛା ୫୦୦ ଟଙ୍କା ଲେଖାଏଁ ଦାବି କରିଥିଲେ ଟୋଲଗେଟ୍ କର୍ମଚାରୀ । ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ଦାବି କରିବାରୁ ବସର ଡ୍ରାଇଭର ଓ ଟୋଲଗେଟ୍ କର୍ମଚାରୀଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କର୍ମଚାରୀମାନେ ବସରେ ଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ । ଛୋଟପିଲା ଓ ମହିଳାଙ୍କୁ ବି ଛାଡିନଥିଲେ ଆକ୍ରମଣକାରୀ । ଗୋଡାଇ ଗୋଡାଇ ପିଟିଥିବାର ଚିତ୍ର ସାମ୍ନାକୁ ଆସିଛି।

୧୧ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି । ପ୍ରଥମେ ୬ ଜଣ କର୍ମଚାରୀ ଠେଙ୍ଗା ବାଡି ସାହାଯ୍ୟରେ ଆକ୍ରମଣ କରିବା ପରେ ବସରୁ ଯାତ୍ରୀମାନେ ଓହ୍ଲାଇ ଆସିଥିଲେ । ସେମାନଙ୍କୁ ଦେଖି କର୍ମଚାରୀ ଗୋଟିଏ କୋଠରୀରେ ନିଜକୁ ଆବଦ୍ଧ କରିନେଲେ । ପୋଲିସକୁ ଡାକିବା ବାହାନାରେ ଗୁଣ୍ଡାମାନଙ୍କୁ ଡାକି ପୁଣି ଯାତ୍ରୀଙ୍କୁ ଆକ୍ରମଣ କରିଥିଲେ । ପର୍ଯ୍ୟଟକଙ୍କୁ ଗୋଡାଇ ପିଟିବା ପରେ ବସ ଦୁଇଟିକୁ ଭାଙ୍ଗି ଗୁଣ୍ଡ କରିଦେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ପୋଲିସ ପହଂଚିଲା ବେଳକୁ ଲଙ୍କାକାଣ୍ଡ ଶେଷ ହୋଇସାରିଥିଲା ।

ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ସ୍ଥାନୀୟ ପ୍ରଶାସନ । ସମସ୍ତ ପର୍ଯ୍ୟଟକଙ୍କୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ରଖାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଛତିଶଗଡ଼ ପଠାଇବାକୁ ବନ୍ଦୋବସ୍ତ କରିଥିଲା ଜିଲ୍ଲା ପ୍ରଶାସନ ।

ମିଳିଥିବା ସୂଚନା ଅନୁସାରେ ଓଡିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ ପକ୍ଷରୁ ଏହି ଟୋଲଗେଟ୍ ପାଇଁ ନିଲାମ କରାଯାଇଥିଲା । ଅରୁଣ କୁମାର ମହାନ୍ତି ନାମକ ବ୍ୟକ୍ତିଙ୍କୁ ଏହି ଟୋଲଗେଟ୍ ମିଳିଥିବାବେଳେ ସବୁଠାରୁ ବଡଗାଡି ଟ୍ରକ ପାଇଁ ସର୍ବାଧିକ ୨୦୦ ଟଙ୍କା ଟୋଲ ଟିକସ ସ୍ଥିର ହୋଇଥିଲା । ତେବେ କାହିଁକି ଟୋଲଗେଟ୍ କର୍ମଚାରୀ ୫୦୦ ଟଙ୍କା ଦାବି କରୁଥିଲେ ତାର ତଦନ୍ତ ହେବ । ବର୍ତମାନ ଟୋଲଗେଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓବିସିସି ସହ ବୈଠକ ପରେ ପରବର୍ତୀ ନିଷ୍ପତି ଗ୍ରହଣ କରାଯିବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe