ଚାଟିଂ ସହ ଜମିବ ସପିଂ । ଫିଲ୍ପକାର୍ଟ ଓ ଆମାଜନ୍ ଭଳି ଏଣିକି ହ୍ୱାଟ୍ସଆପରେ ମଧ୍ୟ ଆପଣଙ୍କ ମନ ପସନ୍ଦର ସାମଗ୍ରୀ କରପାରିବେ ଅର୍ଡର ।  

222

କନକ ବ୍ୟୁରୋ : ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନଟିଏ ନିହାତି ରହୁଛି । ଆଉ ସ୍ମାର୍ଟଫୋନ୍ ଅଛି ମାନେ ହ୍ୱାଟ୍ସଆପ୍ ବି ନିହାତି ଥିବ । ଏହି ମେସେଜିଙ୍ଗ ଆପରେ ଆପଣ ବିଶେଷ କରି ଚାଟିଂ କରିଥାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଆଜିର ଦିନରେ ହ୍ୱାଟ୍ସଆପ୍, ଯୋଗାଯୋଗର ଏକ ମାଧ୍ୟମ ପାଲଟିଛି । ତେବେ ଆପଣ ଭାବୁଥିବେ ଆମେ ଆପଣଙ୍କୁ ଆଜି ହ୍ୱାଟ୍ସଆପ୍ କଥା କାହିଁକି କହୁଛୁ । ଆଜି ଆମେ ହ୍ୱାଟ୍ସଆପକୁ ନେଇ ଆପଣଙ୍କୁ ଏକ ବଡ ଖବର ଦେବୁ । ଆଉ ଖବରଟି ହେଉଛି, ଏଣିକି ଆପଣ ହ୍ୱାଟ୍ସଆପରେ ଚାଟିଂ ସହ ସପିଂ ବି କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ଖବର ବାବଦରେ ପୂରା ତଥ୍ୟ ।

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ରିଟେଲ ଲିମିଟେଡ୍, ନିଜର ଇ-କମର୍ସ ଆପ୍ ଜିଓମାର୍ଟକୁ ହ୍ୱାଟ୍ସଆପ୍ ସହ ଯୋଡିବାର ପ୍ରସ୍ତୁତି ଚଳାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୬ ମାସ ଭିତରେ ଏହି ପ୍ରକ୍ରିୟା ଶେଷ କରିବାର ଯୋଜନା ରଖିଛି ରିଲାଏନ୍ସ । ଆଉ ଏପରି ହେଲେ ଆପଣମାନେ ହ୍ୱାଟ୍ସଆପରେ ଚାଟିଂ କରିବା ସହ ବିଭିନ୍ନ ସାମଗ୍ରୀ ମଧ୍ୟ ଅର୍ଡର କରିପାରିବେ । ସବୁଠାରୁ ବଡ କଥା ହେଉଛି, ସାମଗ୍ରୀ ଅର୍ଡର କରିବା ପାଇଁ ଆପଣଙ୍କୁ ଆପରୁ ବାହାରକୁ ଯିବାକୁ ପଡିବନି । ଆଉ ରିଲାଏନ୍ସର ଏପରି ଯୋଜନା ଆମାଜନ୍ ଏବଂ ଫ୍ଲିପକାର୍ଟ ପରି ସପିଂ ପ୍ଲାଟଫର୍ମକୁ କଡା ଟକ୍କର ଦେବ ।

ରିଲାଏନ୍ସର ଏହି ପଦକ୍ଷେପ ପରେ, ଜିଓମାର୍ଟ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଂଚିବ । ଏହା ସହିତ ଲୋକପ୍ରିୟ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ଏବଂ ଫ୍ଲିପକାର୍ଟକୁ କମ୍ପାନୀ କଡା ଟକ୍କର ମଧ୍ୟ ଦେବ । ଯାହା ଦ୍ୱାରା ଆପଣ ହ୍ୱାଟ୍ସଆପରୁ ମଧ୍ୟ ଆପଣଙ୍କ ମନ ପସନ୍ଦର ସାମଗ୍ରୀ ଅର୍ଡର କରିପାରିବେ । ଆଉ କୁହାଯାଉଛି, ଯେତେବେଳେ ଚାଟିଂରେ ଲୋକମାନେ ସପିଂ କରିବାର ବିକଳ୍ପ ପାଇବେ, ସେତେବେଳେ ଅନ୍ୟ ସାଇଟ୍ ଗୁଡିକ ପ୍ରତି ସେମାନଙ୍କର ମନୋଭାବ ହୁଏତ ହ୍ରାସ ପାଇବ ।

ତେବେ ଗତବର୍ଷ ଅର୍ଥାତ ୨୦୨୦ ମେ ମାସରେ ଏକକାଳୀନ ୨୦୦ ସହରରେ ରିଲାଏନ୍ସ ଜିଓମାର୍ଟ ଲଂଚ କରିଥିଲା । ଆଉ ଯାହା ପରେ ହ୍ୱାଟ୍ସଆପ୍ ସହ କମ୍ପାନୀ ଏକ ଚୁକ୍ତି ମଧ୍ୟ କରିଥିଲା । ଏବଂ ରିଲାଏନ୍ସ ଜିଓର ୯.୯ ପ୍ରତିଶତ ଅଂଶଧନ କିଣିଛି ଫେସବୁକ । ଏବଂ ଏହାକୁ ଏବେ ହ୍ୱାଟ୍ସଆପ୍ ସହ ଯୋଡିବାକୁ ଚାହୁଁଛି କମ୍ପାନୀ । ଯେପରିକି ଅଧିକରୁ ଅଧିକ ଲୋକ ଯୋଡିହୋଇପାରିବେ ଏବଂ ଚାଟିଂ ସମୟରେ ବିନା କୌଣସି ଅସୁବିଧାରେ ଲୋକମାନେ ନିଜ ମନ ପସନ୍ଦର ସବୁ ସାମଗ୍ରୀ ଅର୍ଡର କରିପାରିବେ ।