ମାସ୍କ ନପିନ୍ଧିଲେ ଏବେ ଦିଲ୍ଲୀରେ ଦବାକୁ ହେବ ୨ ହଜାର ଟଙ୍କା ଜରିମାନା । ଗତ ୨୪ ଘଂଟାରେ ଦିଲ୍ଲୀରେ ୭ହଜାରରୁ ଅଧିକ ସଂକ୍ରମଣର ନୂଆ ରିପୋର୍ଟ

82

କନକ ବ୍ୟୁରୋ : ନଭେମ୍ବର ମାସ ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ୬ରୁ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ରାଜଧାନୀରେ କରୋନା ସଂକ୍ରମଣର ତୃତୀୟ ଲହଡି କାୟାବିସ୍ତାର କରୁଛି । ସଂକ୍ରମଣକୁ ଆୟତ କରିବା ପାଇଁ କିଛି ବଡ ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର । ମାସ୍କ ନପିନ୍ଧିଲେ ଏଣିକି ୨ ହଜାର ଟଙ୍କା ଜରିମାନା ଦେବାକୁ ନୂଆ ନିୟମ କରିଛନ୍ତି ଦିଲ୍ଲୀ ସରକାର । ରାଜଧାନୀରେ ସଂକ୍ରମଣର ସ୍ଥିତି ଅଣାୟତ ଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।

ଦିଲ୍ଲୀରେ କରୋନା ବଢୁଥିବା ମାମଲା ପଛରେ ରହିଛି ଦୁଇଟି କାରଣ । ଗୋଟିଏ ବାୟୁ ପ୍ରଦୂଷଣ ଓ ଅନ୍ୟଟି କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ । ଏହାକୁ ନଜରରେ ରଖି ଦିଲ୍ଲୀରେ କଡାକଡି ନିୟମ କରିଛନ୍ତି କେଜ୍ରିୱାଲ ସରକାର ।

ସେପଟେ କରୋନା ସ୍ଥିତି ସମ୍ପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ସଂକ୍ରମଣକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର କେନ୍ଦ୍ରକୁ ଦିଲ୍ଲୀର ବଜାରଘାଟ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବକୁ ବୈଠକରେ ବିରୋଧ କରିଛି କଂଗ୍ରେସ । ସେହିଭଳି ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଉଚିତ ପଦକ୍ଷେପ ନିଆଯାଇନଥିବା କହିଛି ବିଜେପି ।

ସେପଟେ କରୋନା ସଂକ୍ରମଣର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ଦିଲ୍ଲୀ ସରକାରକୁ ଭତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଯେଉଁ ସମୟରେ ସଂକ୍ରମଣ ଶୀର୍ଷ ପର୍ଯ୍ୟାୟରେ ଥିଲା ସେତିକି ବେଳେ କାହିଁକି ବିବାହ ଉତ୍ସବରେ ଅତିଥିଙ୍କ ସଂଖ୍ୟାକୁ ୫୦ରୁ ବଢାଇ ଦିଆଯାଇ ୨ଶହ କରାଗଲା । ଏବଂ ଏହି ନିୟମ ପରିବର୍ତନ କରିବାରେ ପୁଣି କାହିଁକି ଅଧିକ ସମୟ ଲାଗିଲା ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ ।

ଦିଲ୍ଲୀରେ ଗୋଟିଏ ଦିନରେ କରୋନାରେ ଯେତିକି ଜଣଙ୍କର ମୃତ୍ୟୁ ହୋଇଛି ତାହା ସବୁ ପୁରୁଣା ରେକର୍ଡକୁ ଟପି ଯାଇଛି । ଗତ ୧୭ତାରିଖରେ ଦିଲ୍ଲୀରେ ୬ ହଜାର ୩୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଗତ ୧୨ ତାରିଖରେ ୨୪ ଘଂଟାରେ ସର୍ବାଧିକ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଦିଲ୍ଲୀରେ କରୋନାରେ ଏପର୍ଯ୍ୟନ୍ତ ୭ ହଜାର ୯୪୩ଜଣଙ୍କର ମୃତ୍ୟୁ ହୋଇଛି ।