ଆଉ ନିସ୍ତାର ନାହିଁ !! ନିୟମ ଭାଙ୍ଗିବ ତ ମୋଟା ଅଙ୍କର ଜୋରିମାନା ଦେବ

515

କନକ ବ୍ୟୁରୋ : କଣ୍ଟ ପୂରିଲା, ଆଉ ନିସ୍ତାର ନାହିଁ। ନୂଆ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେଲା ପରେ ଦୁଇଟି ଦଫାରେ ଗାଡ଼ି ଚାଳକଙ୍କୁ କାଗଜପତ୍ର ଠିକ୍ କରିବା ପାଇଁ ୬ ମାସ ମହଲତ ମିଳିଥିଲା। ପ୍ରଥମ ଦଫାରେ ସେପ୍ଟେମ୍ବରଠାରୁ ନଭେମ୍ବର ଓ ଦ୍ବିତୀୟ ଦଫାରେ ଡିସେମ୍ବରଠାରୁ ଫେବ୍ରୁଆରି ୨୯ ତାରିଖ ପର୍ଯ୍ୟନ୍ତ ରିହାତି ଦେଇଥିଲେ ରାଜ୍ୟ ସରକାର। କିନ୍ତୁ ମାର୍ଚ୍ଚ ୧ତାରିଖଠାରୁ ଆଉ ନିସ୍ତାର ନାହିଁ। ଏ ନେଇ ରୋକଠୋକ୍ ଶୁଣାଇ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି ଶେଷ ହୋଇଛି ଡେଡ୍ ଲାଇନ୍। ମାର୍ଚ୍ଚ ୧ ତାରିଖଠାରୁ ନିୟମ କଡ଼ାକଡ଼ି ପାଳନ ସହ କାର୍ଯ୍ୟାନୁଷ୍ଠାନ ଲାଗି ପରିବହନ ଓ ପୁଲିସର ମଧ୍ୟ ପ୍ରସ୍ତୁତି ଶେଷ ହୋଇସାରିଲାଣି।

ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରିବେ କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ରାଜଧାନୀ ଭୁବନେଶ୍ବରର ଏଜି, ନାଲକୋ, କଳ୍ପନା, ରୂପାଲି, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବବିହାର, ପଟିଆ, ରସୁଲଗଡ଼ ଭଳି ଗୁରୁତ୍ବପୂର୍ଣ୍ଣ ଛକରେ କଡ଼ାକଡ଼ି ଯାଞ୍ଚ କରାଯିବ। ୬ ମାସର ମହଲତ ପରେ ଗାଡ଼ି ଚାଳକ କେତେ ପ୍ରସ୍ତୁତ ହୋଇଛନ୍ତି, କେତେ ସଚେତନ ହୋଇଛନ୍ତି, ତାହା ମାର୍ଚ୍ଚ ୧ ତାରିଖ ପରେ ହିଁ ଜଣାପଡ଼ିବ।

କେଉଁ ନିୟମ ଉଲ୍ଲଂଘନ ପାଇଁ କେତେ ଟଙ୍କା ଫାଇନ୍?
ନିୟମ ଜରିମାନା (ଟଙ୍କାରେ)
ଗାଡ଼ି ଚଳା ନିୟମ ଖିଲାପ ୫୦୦
ଗାଡ଼ିର ଇନସ୍ୟୁରାନ୍ସ ନ ଥିଲେ ୨୦୦୦
ନାବାଳକ ଗାଡ଼ି ଚଳାଇଲେ ୨୫୦୦୦
ଚାଳକଙ୍କ ଲାଇସେନ୍ସ ନ ଥିଲେ ୫୦୦୦
ବାଇକ୍‌ରେ ୨ରୁ ଅଧିକ ବସିଲେ ୧୦୦୦
ହେଲ୍‌ମେଟ୍‌ ନ ପିନ୍ଧିଲେ ୧୦୦୦
ଡିଏଲ୍‌ ବାତିଲ ବେଳେ ଗାଡ଼ି ଚଳାଇଲେ ୧୦୦୦୦
ଦ୍ରୁତ ଗତିରେ ବାଇକ୍‌ ଚଳାଇଲେ ୨୦୦୦
ଦ୍ରୁତ ଗତିରେ ଚାରିଚକିଆ ଚଳାଇଲେ ୪୦୦୦
ବେପରୁଆ ଗାଡ଼ି ଚଳାଇଲେ ୫୦୦୦
ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ୫୦୦୦
ଟ୍ରାଫିକ ରେଡ ଲାଇଟ୍‌ ଡେଇଁଲେ ୫୦୦୦
ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ୫୦୦୦
ଦୁର୍ଘଟଣା ଘଟାଇଲେ ୫୦୦୦
ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ୧୦୦୦୦
ଡ୍ରାଇଭର ସିଟ୍‌ ବେଲ୍ଟ ନ ବାନ୍ଧିଲେ ୧୦୦୦
ମଦ ପିଇ ଗାଡ଼ି ଚଳାଇଲେ ୧୦୦୦୦, ଗିରଫ
ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇଲେ ୫୦୦୦
ବେଆଇନ୍‌ ଭାବେ ଓଭରଟେକିଂ କଲେ ୫୦୦୦
ମାଲ୍‌ ଗାଡ଼ିରେ ଯାତ୍ରୀ ପରିବହନ ୫୦୦୦
ପରମିଟ୍‌ ନଥାଇ ଗାଡ଼ି ଚଳାଇଲେ ୧୦୦୦୦